“ଏମନ୍ତ ଅଟେ ବାଟ ଓଷା। ଯେ କରେ ପାଲଟେ ତା ଦଶା।।
ଯମର ଜ୍ୱାଳା ନ ଲାଗଇ। ମହା ସୁଖରେ ଦିନ ଯାଇ।।
ଭାରତୀୟ ସଂସ୍କୃତିରେ ସୂର୍ଯ୍ୟପୁତ୍ର ଯମ ମୃତ୍ୟୁର ଦେବତା ଭାବରେ ପରିଚିତ। ମୃତ୍ୟୁ ପରେ ମନୁଷ୍ୟ ଯମାଳୟ ଗମନ କରେ। କିନ୍ତୁ ଯେଉଁ ବ୍ୟକ୍ତି ସତ୍ୟ, ଧର୍ମ ଓ ନ୍ୟାୟରେ ଥାଏ, ମୃତ୍ୟୁ ତା’ପାଇଁ ମୁକ୍ତିର ଦ୍ୱାର ଉନ୍ମୋଚନ କରିଥାଏ। ଏଣୁ ସତ୍ୟ, ଧର୍ମ ଓ ନ୍ୟାୟର ଦେବତା ହେଉଛନ୍ତି ଯମ। ସେଥିପାଇଁ ଏହି ମୃତ୍ୟୁ ଦେବତାଙ୍କର ଅନ୍ୟ ନାମ ଧର୍ମଦେବତା। ସେ ଧର୍ମର ଜାଗ୍ରତ ପ୍ରହରୀ। ଦୀର୍ଘ ଓ ଧାର୍ମିକ ଜୀବନ ବଞ୍ଚିବା ପାଇଁ ଏହି ଦେବତାଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ ପଡ଼ିଥାଏ। ତେଣୁ ଓଡ଼ିଶାର ଗ୍ରାମୀଣ ପରମ୍ପରାରେ ଯମଙ୍କୁ ସନ୍ତୁଷ୍ଟ କରିବାପାଇଁ ଅନେକ ଲୋକପର୍ବ, ଓଷାବ୍ରତ ଆଦି ପାଳନ କରାଯାଇଥାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ‘ବାଟ ଓଷା’ ବା ‘ଦାଣ୍ଡ ପହଁରା ଓଷା’। ଏହି ଓଷା ବାଟ ବା ଦାଣ୍ଡରେ ପାଳିତ ହେଉଥିବାରୁ, ଏପରି ନାମକରଣ ହୋଇଛି।
ବାଟ ଓଷା ବା ଦାଣ୍ଡ ପହଁରା ଓଷା ପୌଷମାସ କୃଷ୍ଣ ଦ୍ୱିତୀୟା ତିଥିରେ ପାଳନ କରାଯାଏ । ଏହି ଓଷା ଯମରାଜାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ । ପ୍ରତ୍ୟେକ ମାଆମାନେ ନିଜ ପୁତ୍ରମାନେ ଦୀର୍ଘାୟୁ ହେବା ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ପୁତ୍ରମାନଙ୍କୁ ଝାଡ଼ିଥାନ୍ତି । ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର ହେଉଛି ବଜ୍ର । ସେଥିପାଇଁ ପ୍ରବାଦ ଅଛି-ମାତାମାନେ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ଓଷା ମଣ୍ଡପର ଚତୁର୍ପାଶ୍ୱକୁ ବଜ୍ରମୂଳିରେ ପହଁରିବା ପରେ ସେଥିରେ ସନ୍ତାନମାନଙ୍କୁ ଝାଡ଼ିଥାନ୍ତି ।
କିମ୍ବଦନ୍ତୀ ଅନୁସାରେ କୋଶଳ ଦେଶର ଅପୁତ୍ରକ ରାଣୀ ଏହି ଓଷା କରିବାରୁ ତାଙ୍କର ପୁତ୍ର ପ୍ରାପ୍ତି ହେଲା। ଅଥଚ ପୁତ୍ର ପ୍ରାପ୍ତି ପରେ ରାଣୀ ଏହି ଓଷା ନକରିବାରୁ ରାଣୀଙ୍କୁ ଦଣ୍ଡ ଦେବାପାଇଁ ଯମ ତାଙ୍କର ପୁତ୍ରକୁ ଅପହରଣ କରିନେଲେ। ରାଣୀ ନିଜର ଭୁଲ୍ ବୁଝିପାରି ପୁଣି ଓଷା କରିବାରୁ ନିଜ ପୁଅକୁ ଫେରିପାଇଲେ।
ଏହି ଓଷା ଦିନ ନାରୀମାନେ ଦିନସାରା ଉପବାସ ରହି, ସ୍ୱାଦିଷ୍ଠ ପିଠାପଣା ସହିତ ଉଖୁଡ଼ା, କଦଳୀ, ଆଖୁ ଓ ମୂଳା ଆଦି ନୈବେଦ୍ୟ ରଖି, ଏକ ବଜ୍ରମୂଳି ଗଛରେ ତାହାକୁ ଘୋଡ଼ାଇ ତିନିମୁହାଣି ସ୍ଥାନକୁ ନେଇ ଯାଆନ୍ତି। ସେଠାରେ ଆଗରୁ ଏକ ଗାତ ଖୋଳି ତାହାର ଚାରି ପାଖକୁ ଲିପାପୋଛା କରାଯାଇ ଫୁଲରେ ସଜା ହୋଇଥାଏ। ସେହି ପନ୍ଥେଇକୁ ଚନ୍ଦନ, ସିନ୍ଦୂର ଓ ଧୂପ ଦେଇ ବଜ୍ରମୂଳି ଡାଳ ରଖି ପୂଜା କରାଯାଏ। ଓଷା ବହି ପଢ଼ାହୁଏ। ପୂଜା ସରିବା ପରେ ସେହି ତିନି ମୁହାଣି ଦାଣ୍ଡକୁ ବଜ୍ରମୂଳିରେ ଓଳାଯାଏ।
ଯାହାକୁ ନେଇ ବ୍ରତକଥାରେ ଲେଖାଅଛି-
“ସର୍ବେ କହନ୍ତି ରୁଣ୍ଡ ହୋଇ। ଯମରାଜାଙ୍କ ଓଷା ଏହି।।
ଏଥି ସନ୍ତୋଷ ଜନ୍ତୁପତି। ଆନନ୍ଦେ ପୁତ୍ର ବର ଦ୍ୟନ୍ତି।”