ପ୍ରେମ ପାଇଁ ଦିନଟିଏ, ମନର ଭାବନା ପରିପ୍ରକାଶ ସହ ପ୍ରେମୀ ଯୁଗଳଙ୍କ ପାଇଁ ଖାସ୍ ଦିନ
Khabar Odisha:Today-is-valentines-day
ଖବର ଓଡିଶା : 14/02/2023

 ପ୍ରେମ ସପ୍ତାହ ଅର୍ଥାତ ଫେବୃୟାରୀ ୭ ରୋଜ୍‌ ଡେରୁ ଆରମ୍ଭ ହୋଇଥିବା ସପ୍ତାହର ଅନ୍ତିମ ଦିନ ପ୍ରେମ ଦିବସ। । ଆଜି ଫେବୃୟାରୀ ୧୪ ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ । ପ୍ରେମକୁ ବର୍ଷ-ମାସ-ଦିନରେ ବାନ୍ଧି ହୁଏନି । ପ୍ରେମ ପାଇଁ ସମୟର ଅଭାବ ପଡେ । ହେଲେ ପ୍ରେମ ହେଉଛି ସୀମାହୀନ ସାଗର, ପ୍ରେମ ହୃଦୟର ସନ୍ଧ୍ୟାକାଶରେ ସୁନ୍ଦରୀ ଚାନ୍ଦିନୀଠୁ ଅଧିକ ସୁନ୍ଦର । ପ୍ରେମ ଶାଶ୍ବତ, ପ୍ରେମ ଚିରନ୍ତନ ଓ ପ୍ରେମ ନୈସର୍ଗିକ । ଦୁଇଟି ଶବ୍ଦର ଏହି ଅକ୍ଷର ଦୁଇଟି ଭିନ୍ନ ମଣିଷକୁ ଏକତ୍ର କରିଦିଏ। ପ୍ରେମ ମାନେନା ବାଧାବିଘ୍ନ। ମାନେନା ସୀମା ସରହଦ। ପ୍ରେମ ଗୋଟେ ଅଢେଇ ଅକ୍ଷରର ଅବୋଲକରା ଆବେଗ । ଯାହାକୁ ଅନୁଭବ ତ କରିହୁଏ, ହେଲେ ଦେଖିହୁଏନି କି ଦେଖେଇ ହୁଏନି । ପ୍ରେମ ଆଲ୍ଲା, ପ୍ରେମ ଯୀଶୁ ଆଉ ପ୍ରେମ ହେଉଛି ସାକ୍ଷାତ ଇଶ୍ୱର । ଜାତି, ଧର୍ମ, ବର୍ଣ୍ଣ ସବୁରି ଉପରେ ଭଲ ପାଇବାର ପରିଭାଷା। ପ୍ରେମ ବିନା ଜୀବନ ରଙ୍ଗହୀନ। କେତେବେଳେ ଏହାର ଆଖିରେ ଆଖିତ ଆଉ କେତେବେଳେ ଏହା ଇସାରାରୁ ଆରମ୍ଭ ହୋଇଥାଏ। ଯାହା ଆଗରେ ଦୁନିଆ ହାରିଯାଏ, ତାହା ପ୍ରେମ , ହାରିବା ଭିତରେ ଯେଉଁଠି ଜିତିବା ଦେଖାଯାଏ, ତାହା ପ୍ରେମ। ପ୍ରେମ ସାହିତ୍ୟ ଭଳି ସରଳ ହେଇପାରେ, ପ୍ରେମ ଗଣିତଠୁ ବି ଅଧିକ ଜଟିଳ ହେଇପାରେ । ପ୍ରେମ ହିସାବ କିତାବ କରି କରାଯାଏନା, କି ପ୍ରେମରେ କାରଣା ଖୋଜାପଡେନା । ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃଆରୀ ୧୪ ତାରିଖକୁ ପ୍ରେମୀ ଯୁଗଳମାନେ ଭାଲଣ୍ଟୋଇନ୍ସ ଡେ’ ଭାବେ ପାଳନ କରିଥା’ନ୍ତି। ଏହି ଦିନ ନିଜ ମନର ମଣିଷକୁ ହୃଦୟର କଥା କହିଥାନ୍ତି ପ୍ରେମପକ୍ଷୀ। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଭାଲେଣ୍ଟାଇନ୍ସ ଡେ’କୁ ନେଇ ଉତ୍ସୁକତା ରହିଥାଏ। ପ୍ରେମୀଯୁଗଳ ପରସ୍ପରଙ୍କ ପ୍ରତି ଥିବା ସ୍ନେହ ଓ ଭଲ ପାଇବାର ଦିନ । ପରସ୍ପରକୁ ଉପହାର ଦେଇ ଏହି ଦିବସ ପାଳନ କରିଥାନ୍ତି ପ୍ରେମୀଯୁଗଳ । ଏହି ଦିନକୁ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରି ରହିଥାନ୍ତି ପ୍ରେମୀଯୁଗଳ । ପାଶ୍ଚାତ୍ୟ ସଭ୍ୟତା ହୋଇଥିଲେ ସୁଦ୍ଧା ଏହାକୁ ସାରା ବିଶ୍ୱରେ ପାଳନ କରାଯାଉଛି । ରାଗ ରୁଷା ମାନ ଅଭିମାନ ଛାଡି ପ୍ରେମପକ୍ଷୀ ପାଳନ କରିଥାନ୍ତି ଏହି ପ୍ରେମ ଦିବସକୁ | ରୋମାନ୍‌ ଫେଷ୍ଟିଭାଲରୁ ଭାଲେଣ୍ଟାଇନ୍ ଡେ’ ଆରମ୍ଭ ହୋଇଥିଲା। ଖ୍ରୀଷ୍ଟାଦ୍ଦ ୪୯୬ ରେ ବିଶ୍ୱରେ ପ୍ରଥମ ଭାଲେଣ୍ଟାଇନ୍ ଡେ’ ପାଳନ କରାଯାଇଥିଲା। ଏହା ପରେ, ପଞ୍ଚମ ଶତାବ୍ଦୀରେ ରୋମର ପୋପ୍ ଜେଲାସିୟସ୍ ଫେବୃଆରୀ ୧୪କୁ ସେଣ୍ଟ ଭାଲେଣ୍ଟାଇନ୍ ଡେ’ ଭାବରେ ଘୋଷଣା କରିଥିଲେ। ସେବେଠାରୁ ପ୍ରତିବର୍ଷ ଫେବୃଆରୀ ୧୪ କୁ ଭାଲେଣ୍ଟାଇନ ଡେ’ ଭାବରେ ରୋମ ସମେତ ସମଗ୍ର ବିଶ୍ୱରେ ପାଳନ କରାଯାଏ। 

ତେବେ  ଫେବୃଆରୀ ୧୪କୁ କାହିଁକି ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରାଯାଏ। ଏହି ଦିନ ଭାଲେଣ୍ଟାଇନ୍ ଡେ’ ପାଳନ କରିବା ନେଇ ରହିଛି ବିଶେଷ ଗୁରୁତ୍ୱ। ଭାଲେଣ୍ଟାଇନ୍ସ ଡେ’ରେ କୌଣସି ଦିବସର ନାଁ ନୁହେଁ, ବରଂ ରୋମ୍‌ର ଜଣେ ସନ୍ଥଙ୍କ ନାମ। ସେତେବେଳେ କ୍ଲାଉଡିୟସ୍ ଦ୍ବିତୀୟ ନାମକ ଜଣେ ଶାସକ ରୋମ୍ ଉପରେ ରାଜୁତି କରୁଥିଲେ। ସେ ପ୍ରେମ ଓ ବିବାହକୁ ପସନ୍ଦ କରୁ ନ ଥିଲେ। ପ୍ରେମ ଓ ବିବାହ କାରଣରୁ ଯୋଦ୍ଧାମାନେ ତାଙ୍କ ଲକ୍ଷ୍ୟ ପୂରଣ କରିପାରନ୍ତି ନାହିଁ ବୋଲି ସେ ଭାବୁଥିଲେ। ଏଥିପାଇଁ ରୋମାନ୍ ସୈନ୍ୟମାନେ ପ୍ରେମ କିମ୍ବା ବିବାହ କରିପାରିବେ ନାହିଁ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ। ସେହି ରାଜ୍ୟରେ ସେଣ୍ଟ୍‌ ଭାଲେଣ୍ଟାଇନ୍ ନାମକ ସନ୍ଥ ରହୁଥିଲେ। ଯେଉଁଠାରେ ଗୋଟିଏ ପଟେ ରାଜା କ୍ଲାଉଡିୟସ୍ ପ୍ରେମକୁ ବିରୋଧ କରୁଥିଲେ ସେଠାରେ ଅନ୍ୟ ପଟେ ସେଣ୍ଟ ଭାଲେଣ୍ଟାଇନ୍ ଖୋଲାଖୋଲି ଭାବରେ ପ୍ରେମର ପ୍ରଚାର କରୁଥିଲେ। ଏନେଇ ସେଣ୍ଟ୍‌ ଭାଲେଣ୍ଟାଇନ୍ କେବଳ କ୍ଲାଉଡିୟସଙ୍କ ବିଚାରଧାରାକୁ ଭୁଲ ପ୍ରମାଣିତ କରିନାହାଁନ୍ତି ବରଂ ରାଜାଙ୍କ ବିରୁଦ୍ଧରେ ଯାଇ ସେ ଅନେକ ବିବାହ ମଧ୍ୟ କରିଥିଲେ। ଏହି କାରଣରୁ ରାଜା କ୍ଲାଉଡିୟସ୍ ସେଣ୍ଟ ଭାଲେଣ୍ଟାଇନ୍‌ଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ଏବଂ ଭାଲେଣ୍ଟାଇନ୍‌ଙ୍କୁ ଫେବୃଆରୀ ୧୪ରେ ଫାଶୀ ଦିଆଯାଇଥିଲା। ଏହା ପରେ ଏହି ଦିନ ରୋମ ସମେତ ସମଗ୍ର ବିଶ୍ୱରେ ପ୍ରେମ ଦିବସ ଭାବରେ ପରିଚିତ ହେଲା ଏବଂ ଭାଲେଣ୍ଟାଇନ୍ ଡେ’ ପାଳନ କରିବାର ଚିନ୍ତାଧାରା ସମଗ୍ର ବିଶ୍ୱରେ ଆରମ୍ଭ ହେଲା।

Subscribe

National International State Sports Entertainment