ଆମ ରାଜ୍ୟ ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ତେବେ ବର୍ତ୍ତମାନ ରାଜ୍ୟରେ ସରକାର ପାରମ୍ପାରିକ ଧାନଚାଷ ସମେତ ଅଣ ପାରମ୍ପାରିକ ଚାଷ କରିବାକୁ ଚାଷୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ତେଣେ ଅଣ ପାରମ୍ପାରିକ ଚାଷ ନାମ ଆସିଲେ ସବୁଠୁ ଆଗରେ ରହିଛି ମିଲେଟ ଚାଷ । ତେବେ ରାଜ୍ୟରେ ମିଲେଟ ଚାଷରେ ସବୁଠୁ ଅଧିକ ପରିମାଣରେ ଚାଷ ହେଉଛି ମାଣ୍ଡିଆ ଚାଷ ।
ତେବେ ପଶ୍ଚିମ ଓଡ଼ିଶାର କଥା ଆସିଲେ ସମ୍ବଲପୁର ଜିଲ୍ଲାରେ ବି ବିଗତ କିଛି ବର୍ଷ ହେବ ମିଲେଟ ଚାଷକୁ ଗୁରୁତ୍ଵ ଦିଆଯାଇଛି। ସମ୍ବଲପୁର ଜିଲ୍ଲାରେ ଚଳିତ ବର୍ଷ ୧୫ଶହ ହେକ୍ଟର ଚାଷ ଜମିରେ ମିଲେଟ ଚାଷ କରାଯିବ ବୋଳି ସୁଚନା ମିଳିଛି। ଏନେଇ ସମ୍ବଲପୁର ଜିଲ୍ଲା ମିଲେଟ ମିଶନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଧାଂଶୁ ରାୟଗୁରୁ ସୁଚନା ଦେଇଛନ୍ତି। ସେ କହିଛନ୍ତି ଯେ ମିଲେଟ ଚାଷୀଙ୍କୁ ପ୍ରୋତ୍ସାହନ କରିବାକୁ ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ମାଣ୍ଡିଆର କୁଇଣ୍ଟାଲ ପ୍ରତି ସର୍ବନିମ୍ନ ଦର ବୃଦ୍ଧି କରାଯାଇ ୪୨୯୦ ଟଙ୍କା କରାଯାଇଛି।
ଏହାସହ ସମ୍ବଲପୁର ସହରରେ ମିଲେଟ କେଫେ ଓ ମିଲେଟ ଆଉଟଲେଟ ଖୋଲାଯିବ ବୋଳି ସେ ସୁଚନା ଦେଇଛନ୍ତି। ଜିଲ୍ଲାର ଜୁଯୋମୁରା, ରେଢ଼ାଖୋଲ,ନାକଟିଦେଉଳ, କୁଚିଣ୍ଡା, ଜମନକିରା, ବାମରା ପ୍ରମୁଖ ୬ ଗୋଟି ବ୍ଳକରେ ବର୍ତ୍ତମାନ ସଫଳତା ସହ ଚାଷୀ ସିଲେଟ ଚାଷ କରୁଛନ୍ତି। ଏହି ସବୁ ବ୍ଳକରେ ସ୍ଥାନୀୟ ଏସ୍ଏଚଜି ମାନେ ଚାଷୀଙ୍କ ଠାରୁ ଉତ୍ପାଦିତ ହୋଇଥିବା ମିଲେଟ ସଂଗ୍ରହ କରି ସେଥିରୁ ବହୁ ସୁସ୍ୱାଦୁ ଖାଦ୍ୟବଞ୍ଜନ ପ୍ରସ୍ତୂତ କରି ବିକ୍ରି କରିବା ପାଇଁ ଏହି ସବୁ ବ୍ଳକରେ ଏସ୍ଏଚଜି ମିଲେଟ ଟିଫିନ୍ ସେଣ୍ଟର ଆରମ୍ଭ କରାଯିବ।
ସାଧାରଣତଃ ମିଲେଟ ଚାଷ ଭାବରେ ମାଣ୍ଡିଆ, ବାଜରା, ଗଙ୍ଗେଇ, କାଙ୍ଗୁ,ଗୁରୁଜି କୁ ଚାଷ କରାଯାଉଥିବା ବେଳେ ସବୁଠୁ ବହୁଲ ଭାବରେ ମାଣ୍ଡିଆ ଚାଷ ହେଉଛି। ଏଥିସହ ମାଣ୍ଡିଆ ରୁ ମାଣ୍ଡିଆ ଫାଉଡର କରାଯିବା ସହ କେକ, ବିସ୍କୁଟ, ପିଠା,ଲଡୁ ଭଳି ସୁସ୍ୱାଦୁ କିସମ କିସମର ଖାଦ୍ୟ ବ୍ୟଞ୍ଜନକୁ ପ୍ରସ୍ତୂତ କରାଯାଇ ପାରୁଛି । ଅନ୍ୟପକ୍ଷରେ ଏହାର ଚାହିଦା ବି ଲୋକଙ୍କ ନିକଟରେ ବହୁତ ରହିଛି। ତେବେ ସମ୍ବଲପୁର ଜିଲ୍ଲାରେ ଏଥିପାଇଁ ମିଲେଟ ଚାଷ କରିବାକୁ ଚାଷୀଙ୍କୁ ବହୁ ପ୍ରୋତ୍ସାହିତ କରାଯାଉଥିବା ନେଇ ସମ୍ବଲପୁର ଜିଲ୍ଲା ମିଲେଟ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଧାଂଶୁ ରାୟଗୁରୁ ସୁଚନା ଦେଇଛନ୍ତି।