କୋଲକାତା: ପଶ୍ଚିମବଙ୍ଗ ଜନତା ଯେଉଁ ଆଶା ରଖି ଭୋଟ୍ ଦେଇଛନ୍ତି, ସେହି ବିଶ୍ୱାସକୁ ଯେପରି ଟିକେ ବି ଆଞ୍ଚ ନ ଆସେ ସେଥିପ୍ରତି ଆମେ ପ୍ରୟାସ ଜାରି ରଖିବୁ ବୋଲି ଦଳ ପକ୍ଷରୁ ଆଶ୍ୱସନା ଦେଇଛନ୍ତି ଅମିତ ଶାହ ।
କୋଲକାତାରେ ବିଧାୟକ ଦଳ ବୈଠକରେ ଉଦବୋଧନ ଦେଇ ଅମିତ ଶାହ ନିର୍ବାଚନ ପରିସଂଖ୍ୟାନ ଉପରେ ଖୁସି ପ୍ରକାଶ କରିଥିଲେ । ଏଥର ବଙ୍ଗଳାରେ "ବିଜେପି ଲହର"ର ତୀବ୍ରତା ଉପରେ ଆଲୋକପାତ କରିଛନ୍ତି । ପାଞ୍ଚ ଦଶନ୍ଧି ଧରି ଚାଲୁଆସୁଥିବା ବିଦେଶୀ ଶାସନର ବିଚାରଧାରାର ସମାପ୍ତ ଘଟିଛି । ସମସ୍ତଙ୍କର ଦାୟିତ୍ୱ ବଢ଼ିଛି ।
ଅମିତ ଶାହ ତାଙ୍କ ଭାଷଣରେ ଦଳର ପ୍ରତିଷ୍ଠାତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବିଶେଷ ଉଲ୍ଲେଖ କରିଥିଲେ । ୧୯୫୦ ପରେ ଦଳର ପ୍ରତିଷ୍ଠାତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନିଜ ମାଟିରେ ବିଜେପି ସରକାର ଗଢ଼ିଛି । ଆଜି ବଙ୍ଗଳା ମାଟିରେ ବିଜେପି ସରକାର ଗଠନ ଡକ୍ଟର ମୁଖାର୍ଜୀଙ୍କ ସଂଘର୍ଷ ଏବଂ ବଳିଦାନ ପ୍ରତି ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି । ଡକ୍ଟର ମୁଖାର୍ଜୀ ଯେଉଁ ଜାତୀୟତାର ମୂଳଦୁଆ ପକାଇଥିଲେ ସେହି ପଥ ଅନୁସରଣ କରି ଆଜି ବଙ୍ଗଳାରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ବହୁମତ ସହିତ ଗଠିତ ବିଜେପି ସରକାର ପ୍ରତିଷ୍ଠିତ ହେଉଛି । ୩୭୦ ଧାରା ହଟିବା ପରେ କିଛି କାର୍ଯକର୍ତ୍ତା କହିଥିଲେ ଆହୁରି କାମ ରହିଯାଇଛି, ବଙ୍ଗ ବିଜୟ ଏକ ବଡ଼ କାମ ଥିଲା ।
ଗଙ୍ଗାରୁ ଗଙ୍ଗୋତ୍ରୀର ଯାତ୍ରା ୨୦୧୪ରୁ ଆରମ୍ଭ ହୋଇଥିଲା । ଉପ ନିର୍ବାଚନରୁ ବିଜେପି ଖାତା ଖୋଲିଥିଲା । ଏହି ଯାତ୍ରା ଯେତିକି ଭବ୍ୟ ଓ ଆନନ୍ଦଦାୟକ ଥିଲା, ସେତିକି ଅସହନୀୟ ଯନ୍ତ୍ରଣାରେ ପୂର୍ଣ୍ଣ ଥିଲା । ହିଂସାରେ ଆମର ୩୨୧ କର୍ମକର୍ତ୍ତା ପ୍ରାଣ ହରାଇଛନ୍ତି । ଏହା କେଦାପି ଭୁଲି ହେବ ନାହିଁ । ଭାରତରେ କେଉଁଠି ବି ଏମିତି କ୍ରୁରତାର ତାଣ୍ଡବ ଦେଖିବାକୁ ମିଳି ନାହିଁ ।
ଗୃହମନ୍ତ୍ରୀ ଅନୁପ୍ରବେଶକାରୀ ଓ ଗୋ-ଚାଲାଣ ପ୍ରସଙ୍ଗରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପଶ୍ଚିମବଙ୍ଗର ସୀମାର ସୁରକ୍ଷିତ କରାଯାଇ ଭାରତର ସୁରକ୍ଷାକୁ ସୁରକ୍ଷିତ କରାଯିବ । ସ୍ପଷ୍ଟ ଭାଷାରେ ଶାହ ଘୋଷଣା କରିଛନ୍ତି ଯେ ଯେପରି ଦଳ ଆସାମରେ ଅନୁପ୍ରବେଶକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଛି, ସେହିପରି ସମାନ ପ୍ରକ୍ରିୟା ଏବେ ବଙ୍ଗଳାରେ ମଧ୍ୟ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯେଉଁଠାରେ ବେଆଇନ ଅନୁପ୍ରବେଶ ସମ୍ପୂର୍ଣ୍ଣ ଅସମ୍ଭବ ହୋଇଯିବ।