କୋଲକାତା: ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି । ଶୁଭେନ୍ଦୁ ଅଧିକାରୀଙ୍କ ନାମରେ ମୋହର ଲଗାଇଛି ଦଳ । ବିଜେପି ବିଧାୟକ ଦଳ ବୈଠକର ଶୁଭେନ୍ଦୁ ଅଧିକାରୀଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ସାମ୍ବାଦିକ ସମ୍ମିଳନୀରେ ଶୁଭେନ୍ଦୁଙ୍କ ନାମ ଘୋଷଣା କରିଛନ୍ତି । ଦୁଇ ଦୁଇ ଥର କ୍ଷମତାସୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇଥିବା ଶୁଭେନ୍ଦୁଙ୍କୁ ମିଳିଛି ବଡ଼ ଉପହାର । ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେନ୍ଦୁଙ୍କୁ ଫୁଲ ମାଳ ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି ।
ଘୋଷଣା ସମୟରେ ଅମିତ ଶାହ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଉ କୌଣସି ଦ୍ୱିତୀୟ ନାମ ଆସିନଥିଲା । କେବଳ ଗୋଟିଏ ନାମ ହିଁ ଆସିଥିଲା । ସମସ୍ତଙ୍କ ପ୍ରସ୍ତାବ ମୁତାବକ ଶୁଭେନ୍ଦୁଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପାଇଁ ଚୟନ କରାଯାଇଛି ।
ଶୁଭେନ୍ଦୁ ଅଧିକାରୀ ଭବାନୀପୁରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇଛନ୍ତି । ନିର୍ବାଚନରେ ମମତାଙ୍କୁ ୧୫ ହଜାର ୧୦୫ଟି ଭୋଟ୍ ବ୍ୟବଧାନରେ ଧୂଳି ଚଟାଇଥିଲେ ଶୁଭେନ୍ଦୁ । ଏହା ପୂର୍ବରୁ ୨୦୨୧ ନିର୍ବାଚନରେ ଶୁଭେନ୍ଦୁ ନନ୍ଦିଗ୍ରାମରେ ମମତାଙ୍କୁ ହରାଇଥିଲେ । ମମତାଙ୍କୁ ୧୯୫୬ ଭୋଟରେ ପରାସ୍ତ କରିଥିଲେ ।
ଶୁଭେନ୍ଦୁଙ୍କ ଯୋଗ୍ୟତା
ଯଦି ପ୍ରଥମେ ଶୁଭେନ୍ଦୁଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଆଲୋଚନା କରିବା ରାଜନୀତି ଭଳି ପାଠପଢ଼ାରେ ମଧ୍ୟ ଜଣେ ଉଚ୍ଚ ପ୍ରଦର୍ଶନକାରୀ ଛାତ୍ର ଥିଲେ । ସେ ମେଦିନୀପୁରରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଛନ୍ତି । ୧୯୮୭ରେ କାନ୍ଥୀ ମଡେଲ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପଢ଼ିଛନ୍ତି । ସେହିପରି ବିଦ୍ୟାସାଗର ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଥିବା ପି.କେ କଲେଜରେ ସ୍ନାତକ ହାସଲ କରିଥିଲେ । ଏହା ପରେ କୋଲକାତାର ପ୍ରତିଷ୍ଠିତ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରେ ଏମଏରେ ଡିଗ୍ରୀ ହାସଲ କରିଥିଲେ ।
ରାଜନୈତିକ ଯାତ୍ରା
୧୯୯୫ରେ ଶୁଭେନ୍ଦ୍ର ଅଧିକାରୀ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ କାନ୍ଥୀ ପୌର ପରିଷଦ ନିର୍ବାଚନ ଲଢ଼ିଥିଲେ । ୧୯୯୫ରୁ ୧୯୯୮ ପର୍ୟ୍ୟନ୍ତ ସେ କଂଗ୍ରେସ ସହିତ କାମ କରିଥିଲେ । ପରେ ୧୯୯୮ରୁ ୨୦୨୦ ଯାଏ ସେ ତୃଣମୂଳ କଂଗ୍ରେସ ସହିତ ରହିଥିଲେ । ୨୦୦୬ରେ କାନ୍ଥୀ ଦକ୍ଷିଣ ଆସନରୁ ଲଢ଼ି ବିଧାନସଭାକୁ ଯାଇଥିଲେ । ଏହା ସହିତ ସେ କାନ୍ଥୀ ପୌର ପରିଷଦର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । ୨୦୦୭ରେ ନନ୍ଦିଗ୍ରାମରେ ଭୂମି ଉଚ୍ଛେଦ ପ୍ରତିରୋଧ କମିଟିର ନେତୃତ୍ୱ ନେଇଥିଲେ । ସେତେବେଳେ ପଶ୍ଚିମବଙ୍ଗର ବାମର ଦଳର ଶାସନ ଚାଲୁଥିଲା । ଏହା ପରେ ତୃଣମୂଳ କଂଗ୍ରେସକୁ ଆସିଥିଲେ । ୨୦୦୯ରେ ତମଲୁକ ଆସନରୁ ଲଢ଼ି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୦୯ ଏବଂ ୨୦୧୪ରେ ଦୁଇ ଦୁଇ ଥର ଲୋକସଭା ସାଂସଦ ରହିସାରିଛନ୍ତି ।
୬ ବର୍ଷ ତଳେ ଆସିଛନ୍ତି ବିଜେପିକୁ
ଏହା ପରେ ମମତା ବାନାର୍ଜୀଙ୍କ ତାଙ୍କୁ ଲୋକସଭାରୁ ଆଣି ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଥିଲେ । ୨୦୧୬ରୁ ୨୦୨୦ ଯାଏ ମମତା ସରକାରରେ ସେ ରାଜ୍ୟ ପରିବହନ ମନ୍ତ୍ରୀ ଏବଂ ଜଳ ସମ୍ପଦ ମନ୍ତ୍ରୀ ହୋଇଥିଲେ । ୧୬ ଡିସେମ୍ବର, ୨୦୨୦ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଠିକ୍ ତାର ପରଦିନ ୧୭ ଡିସେମ୍ବରରେ ତୃଣମୂଳ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟରୁ ଇସ୍ତଫା ଦେଇଥିଲେ । ଏହିଠାରୁ ତାଙ୍କର ବିଜେପି ଯାତ୍ରା ଆରମ୍ଭ ହୋଇଥିଲା । ୧୯ ଡିସେମ୍ବର ୨୦୨୦ରେ ସେ ବିଜେପିରେ ସାମିଲ ହୋଇଥିଲେ । ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସହିତ ମତଭେଦ ପାଇଁ ସେ ଟିଏମସି ଛାଡ଼ି ବିଜେପିର ଯୋଗ ଦେଇଥିବା ଚର୍ଚ୍ଚା ହୋଇଥିଲା ।
ଏହା ପରେ ଶୁଭେନ୍ଦୁ ନିଜର ଦକ୍ଷତା ପରୀକ୍ଷା ଦେଇଥିଲେ । ବାରମ୍ବାର ଦଳ ତାଙ୍କୁ ବିଭିନ୍ନ ଦାୟିତ୍ ଦେଇଥିବାବେଳେ ସେ ସମସ୍ତ ଦାୟିତ୍ୱକୁ ନିଷ୍ଠାର ସହିତ ତୁଲାଇଥିଲେ । ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ମମତାଙ୍କୁ ହରାଇ ସେ ନିଜର ଦକ୍ଷତା ପ୍ରମାଣ କରିଥିଲେ । ଯେଉଁଥିପାଇଁ ସେ ପ୍ରବଳ ଦାବିଦାର ଥିଲେ । ଆସନ୍ତାକାଲି ଶୁଭେନ୍ଦୁ ନିଜର କ୍ୟାବିନେଟ୍ ମନ୍ତ୍ରୀମଣ୍ଡଳ ସହିତ ଶପଥ ଗ୍ରହଣ କରିବେ । ଏହି ଐତିହାସିକ ଦିନରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀଗଣ ଏବଂ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତୃଗଣ ।