ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀକୁ ତାର ନୂଆ ମୁଖ୍ୟମନ୍ତ୍ରୀ ମିଳି ସାରିଛି । ରେଖା ଗୁପ୍ତା ଆଜିଠାରୁ ଶାସନ ଭାର ସମ୍ଭାଳିବେ । ତେବେ ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀ ବିଧାନସଭାର ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ନାମ ମଧ୍ୟ ଘୋଷଣା କରିସାରିଛି । ପୂର୍ବତନ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବିଜେନ୍ଦର ଗୁପ୍ତା ବିଧାନସଭା ବାଚସ୍ପତି ହେବେ । ସେହିପରି ଦଳ ଉପ ବାଚସ୍ପତି ପାଇଁ ମୋହନ ସିଂହ ବିଷ୍ଟଙ୍କ ନାମ ଘୋଷଣା କରିଛି ।
ବିଜେନ୍ଦ୍ର ଗୁପ୍ତା ରୋହିଣୀ ବିଧାନସଭା ଆସନରୁ ତିନିଥର ବିଧାୟକ ହୋଇଛନ୍ତି । ଚଳିତ ନିର୍ବାଚନରେ ବିଜେନ୍ଦ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆପ୍ ଦଳର ପ୍ରଦୀପ ମିତ୍ତଲଙ୍କୁ ପ୍ରାୟ 38 ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ସେ ପୂର୍ବ ଦିଲ୍ଲୀ ବିଧାନସଭାରେ ବିଜେପି ବିଧାୟକ ଦଳର ନେତା ଥିଲେ । ସେ ଅଗଷ୍ଟ ୫ ,୨୦୨୪ରେ ବିଜେପିର ବିଧାୟକ ନେତା ମଧ୍ୟ ରହିଥିଲେ ।
ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ବଂଶୋଦ୍ଭବ ମୋହନ ସିଂହ ବିଷ୍ଟ ଜଣେ ଅଭିଜ୍ଞ ରାଜନେତା । ସେ ସାତ ସାତ ଥର ବିଧାୟକ ହୋଇଛନ୍ତି । ସେ ମୁସ୍ତାଫାବାଦ ଆସନରୁ ଜିତିଛନ୍ତି, ଯାହାକୁ ଜିତିବା ବିଜେପି କଷ୍ଟକର ଥିଲା ବୋଲି କୁହାଯାଉଛି ।
ମୋହନ ସିଂହ ବିଷ୍ଟ ୧୯୯୮ ରୁ ୨୦୧୩ ପର୍ଯ୍ୟନ୍ତ ଲଗାତାର ଚାରି ଥର କରାୱଲ ନଗର ବିଧାନସଭା ଆସନରୁ ବିଧାୟକ ଥିଲେ । ୨୦୧୫ ନିର୍ବାଚନରେ, ମୋହନ ସେତେବେଳେ ଆମ ଆଦମୀ ପାର୍ଟିର ପ୍ରାର୍ଥୀ କପିଲ ମିଶ୍ରଙ୍କଠାରୁ ପରାସ୍ତ ହୋଇଥିଲେ। ୨୦୨୦ ନିର୍ବାଚନରେ, ମୋହନ ସିଂହ ବିଷ୍ଟ ଆମ ଆଦମୀ ପାର୍ଟିର ଦୁର୍ଗେଶ ପାଠକଙ୍କୁ ପରାସ୍ତ କରି କରାୱାଲ ନଗର ଆସନରେ ପୁଣିଥରେ ପଦ୍ମ ଫୁଟାଇଥିଲେ ।
କିନ୍ତୁ ଚଳିତ ନିର୍ବାଚନରେ ଦଳ କରାୱାଲ ନଗର ଆସନରୁ କପିଲ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା । ଟିକେଟ୍ କଟିବା ପରେ ମୋହନ ସିଂହ ବିଷ୍ଟ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ । ଦୁଇ ଦିନ ମଧ୍ୟରେ ଦଳ ତାଙ୍କୁ ମୁସ୍ତାଫାବାଦରୁ ପ୍ରାର୍ଥୀ ଭାବରେ ଘୋଷଣା କଲା ।