ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀ ସିଂହାସନରେ ବସିବାକୁ ଯାଉଛନ୍ତି ଜଣେ ମହିଳା ମୁଖ୍ୟମନ୍ତ୍ରୀ । ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ ଓ ଆତିଶି ମାର୍ଲେନାଙ୍କ ପରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ରେଖା ଗୁପ୍ତା । ଗୁରୁବାର ଅପରାହ୍ଣ ୧୨ଟା ୩୦ରେ ରାମଲୀଲା ମଇଦାନରେ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ଶପଥ ନେବେ ।
ବସ୍ତିର ମୁଖିଆ କରିବେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ
ଆଜିର ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଏନଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାରୁ କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ ୧୧ଟା ସୁଦ୍ଧା ନିମନ୍ତ୍ରିତ ଅତିଥିମାନେ ନିଜର ଆସନ ଗ୍ରହଣ କରିବେ । ଏହା ପରେ ବରିଷ୍ଠ ଅତିଥିମାନେ ଆସନ ଗ୍ରହଣ କରିବା ପରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ବସ୍ତିର ପ୍ରଧାନ କରିବେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିବେ । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତବେଳେ ଉପସ୍ଥିତ ରହିବେ ଅଟୋ ଡ୍ରାଇଭରଠାରୁ ଆରମ୍ଭ କରି କ୍ୟାବ୍ ଡ୍ରାଇଭର । ଆଜିର କାର୍ଯ୍ୟକ୍ରମରେ ପ୍ରାୟ ୩୦ ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ପୁରା ରାମଲୀଲା ମଇଦାନକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।
ଆଉ କିଏ ନେଇ ପାରନ୍ତି ଶପଥ ?
ତେବେ ଦଳ ପକ୍ଷରୁ ମନ୍ତ୍ରୀମଣ୍ଡଳ ନେଇ କୌଣସି ଘୋଷଣା କରାଯାଇନାହିଁ । କିନ୍ତୁ ରେଖା ଗୁପ୍ତାଙ୍କ ଏବଂ ପ୍ରବେଶ ବର୍ମାଙ୍କ ସହିତ ଆଶୀଷ ସୁଦ, ମନଞ୍ଜୀନ୍ଦର ସିଂହ ସିରସା, ରବିନ୍ଦ୍ର ଇନ୍ଦ୍ରରାଜ, କପିଳ ମିଶ୍ରା ଏବଂ ଡାକ୍ତର ପଙ୍କଜ କୁମାର ସିଂହ ପ୍ରମୁଖ ଶପଥ ନେଇ ପାରନ୍ତି ।
ତିନି ଥରରେ ବିଜୟୀ ହୋଇଛନ୍ତି ରେଖା ଗୁପ୍ତା
ରେଖା ଗୁପ୍ତା ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ ରାଷ୍ଟ୍ରୀୟ ମନ୍ତ୍ରୀ ଥିଲେ। ବର୍ତ୍ତମାନ ସେ ମହିଳା ମୋର୍ଚ୍ଚାର ଜାତୀୟ ଉପାଧ୍ୟକ୍ଷ ଅଛନ୍ତି। ସତୀଶ ଉପାଧ୍ୟାୟ ରାଜ୍ୟ ସଭାପତି ଥିବା ସମୟରେ, ସେ ତାଙ୍କ ସହିତ ରାଜ୍ୟ ସାଧାରଣ ସମ୍ପାଦକ ଥିଲେ। ସେ ୨୦୧୫ରେ ତାଙ୍କର ପ୍ରଥମ ବିଧାନସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ୧୦,୯୭୮ ଭୋଟରେ ପରାସ୍ତ ହୋଇଥିଲେ। ୨୦୨୦ରେ ସେ ଦ୍ୱିତୀୟ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ପୁଣିଥରେ ୩,୪୪୦ ଭୋଟରେ ପରାସ୍ତ ହୋଇଥିଲେ। ୨୦୨୫ରେ ସେ ତାଙ୍କର ତୃତୀୟ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଏବଂ ୨୯,୫୯୫ ଭୋଟରେ ଜିତିଥିଲେ।