ଭୁବନେଶ୍ୱର : ବିଧାନସଭାରେ ଆଜି ବିଜେଡି ସରକାର ସମୟର ଫାଇଭ-ଟିର ପୋଲ୍ ଖୋଲିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ବିନା କୌଣସି କାଗଜପତ୍ର ପ୍ରକ୍ରିୟାରେ ଫାଇଭ ଟି ପକ୍ଷରୁ ବିଭିନ୍ନ ପ୍ରକଳ୍ପର ଘୋଷଣା କରାଯାଉଥିଲା । ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
ଆଜି ପ୍ରଶ୍ନକାଳରେ୍ ବିଗତ ସରକାର ସମୟରେ ଯେତିକି ବାତ୍ୟା ଆଶ୍ରୟସ୍ଥଳୀ ଘୋଷଣା ହୋଇଥିଲା, କାହିଁକି ସେହି କାର୍ୟ୍ୟ ତ୍ବରାନ୍ବିତ କରିନାହାନ୍ତି ? ୫୨ଟି ପ୍ରକଳ୍ପ କାହିଁକି କାର୍ୟ୍ୟକାରୀ ହୋଇନାହିଁ ? ଏହାର ରହସ୍ୟ କଣ ବୋଲି ପ୍ରଶ୍ନକାଳ ଆଲୋଚନା ବେଳେ ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ।
ଏହାର ଉତ୍ତରରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଏହାର ରହସ୍ୟ ହେଉଛି, ବିଗତ ସରକାର ଅନେକ ନିଷ୍ପତି ନେଉଥିଲେ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ସେଗୁଡିକ କାର୍ୟ୍ୟକାରୀ ହେଉନଥିଲା । ଯେଉଁ ନିଷ୍ପତି ନେଇଥିଲେ, ବିଜେପି ସରକାରକୁ ଆସିଲେ କରିବ ବୋଲି ଛାଡ଼ି ଦେଇଥିଲେ । ପୂର୍ବ ସରକାର ୫୨ଟି ବାତ୍ୟା ଆଶ୍ରୟସ୍ଥଳୀ କରିବା ପାଇଁ ରାଜସ୍ୱ ବିଭାଗ ନିଷ୍ପତି ନେଇନଥିଲା, ସେହି ନିଷ୍ପତି ନେଇଥିଲେ ଫାଇଭ ଟି । କାଗଜ ପତ୍ରରେ ପ୍ରୋସେସିଂ ନକରି ଖାଲି ଘୋଷଣା କରିଥିଲେ ୫ଟି ।
ସୁୁରେଶ ପୂଜାରୀ ଏହା ମଧ୍ୟ କହିଛନ୍ତି, ୫ଟି ସେତେବେଳେ କେତେ ଶକ୍ତିଶାଳୀ ଥିଲା ତାହା ସମସ୍ତଙ୍କୁ ଜଣା । ୫ଟି ଘୋଷଣା ପରେ ବିଭାଗ ଏଷ୍ଟିମେଟ କଲା, ଟେଣ୍ଡର ହେଲା କିନ୍ତୁ ୱାର୍କ ଅର୍ଡର ବେଳକୁ ପଇସା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଖର୍ଚ୍ଚ କରିବେ ବୋଲି କୁହାଯାଇଥିଲା । ରିଲିଫ ପାଣ୍ଠିରୁ ଯେତିକି ଅର୍ଥ ନାହିଁ, ତା ଠାରୁ ଅଧିକ ଘୋଷଣା କରାଯାଇଥିଲା ।
ବିଜେପି ସରକାର ୫୦୦ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛନ୍ତି। ସେଥିରେ ଏହି ୫୨ଟି ମଧ୍ୟ ହେବ । ଅର୍ଥ କମିଶନଙ୍କୁ ମଧ୍ୟ ସରକାର ଜଣାଇଛନ୍ତି । ବିଗତ ସରକାର ଘୋଷଣା କଲେ କିନ୍ତୁ କଲେ ନାହିଁ । ନୂଆ ସରକାର କରିବା ପାଇଁ ଛାଡ଼ି ଦେଇଗଲେ । ବିଗତ ସରକାର ଛାଡ଼ି ଥିବା ସବୁ କାର୍ୟ୍ୟ ବିଜେପି ସରକାର କରିବେ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ।