ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବହୁ ମାନସ ମନ୍ଥନ ପରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି। ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତାକାଲି ଅପରାହ୍ଣ ୧୨ଟା ୩୦ରେ ରାମଲୀଲା ମଇଦାନରେ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ଶପଥ ନେବେ। ରେଖା ଗୁପ୍ତା ଦିଲ୍ଲିର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ। ତାଙ୍କ ପୂର୍ବରୁ ଆତିଶି ମାର୍ଲେନା, ଶୀଲା ଦୀକ୍ଷିତ ଓ ସୁଷମା ସ୍ଵରାଜ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କାର୍ୟ୍ୟ କରିଛନ୍ତି। ରେଖା ବିଜେପିର ପଞ୍ଚମ ମହିଳା ମୁଖ୍ୟମନ୍ତ୍ରୀ।
ରେଖା ଗୁପ୍ତା ପ୍ରଥମ ଥରର ବିଧାୟକ। ସେ ଶାଲିମାରବାଗ ସିଟରୁ ୨୯ ହଜାରରୁ ଅଧିକ ଭୋଟରେ ବିଜୟ ହାସଲ କରିଥିଲେ। ବିଜେପି ରାଜ୍ୟ କାର୍ୟ୍ୟାଳୟରେ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ରବିଶଙ୍କର ପ୍ରସାଦ ଓ ଓପି ଧନଖଡ଼ଙ୍କ ଉପସ୍ଥିତିରେ ରେଖା ଗୁପ୍ତାଙ୍କ ନାଁରେ ବିଧାୟକମାନେ ସହମତି ପ୍ରକାଶ କରିଥିଲେ। ଫେବୃଆରୀ ୮ରେ ବିଜେପିର ବିଜୟ ପରଠୁ ଦିଲ୍ଲୀରେ ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ସସପେନ୍ସ ଲାଗି ରହିଥିଲା। ମୁଖ୍ୟମନ୍ତ୍ରୀ ଦୌଡ଼ରେ ପ୍ରାୟ ୧୦ ଜଣ ନେତା ଦୌଡରେ ଥିଲେ ।
୨୭ ବର୍ଷ ପରେ ବିଜେପିକୁ ଦିଲ୍ଲୀରେ ସରକାର ଗଢିବାର ସୁଯୋଗ ମିଳିଛି । ଏହା ପୂର୍ବରୁ ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ରାଜଧାନୀରେ ବିଜେପି ସରକାର ଥିଲା । ମାତ୍ର ୫ ବର୍ଷରେ ତିନି ଥର ମୁଖ୍ୟମନ୍ତ୍ରୀ ବଦଳାଇବାକୁ ପଡିଥିଲା । କ୍ରମଶଃ ମଦନ ଲାଲ ଖୁରାନା, ସାହିବ ସିଂ ବର୍ମା ଓ ସୁଷମା ସ୍ୱରାଜଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସା ଯାଇଥିଲା । ବିଜେପି ଫେବୃଆରୀ ୫ରେ ସଂପନ୍ନ ମତଦାନରେ ୪୮ ସିଟରେ ବିଜୟ ଲାଭ କରିଛି । ତିନି ଥର କ୍ରମାଗତ ନିର୍ବାଚନ ଜିତିଥିବା ଆପକୁ ୨୨ ସିଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।