ନୂଆଦିଲ୍ଲୀ: ଦିଲ୍ଲୀକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ରେଖା ଗୁପ୍ତାଙ୍କୁ ରାଷ୍ଟ୍ରୀୟ ରାଜଧାନୀର ମୁଖ୍ୟମନ୍ତ୍ରୀ କରିଛି । ରେଖା ପ୍ରଥମ ଥର ବିଧାୟକରୁ ସିଧାସଳଖ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି । ଆଜି ରାମଲୀଲା ମଇଦାନରେ ଆୟୋଜିତ ହେଉଥିବା ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ରେଖା । ସେ ୧୯୭୪ ମସିହା ଜୁଲାଇ ୧୯ରେ ହରିୟାଣାର ଜୁଲାନାରେ ଜନ୍ମଗ୍ରହଣ କରିଥିଲେ । ସେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ସକ୍ରିୟ ସଦସ୍ୟ ରହି ସାରିଛନ୍ତି । ତାଙ୍କର ରାଜନୈତିକ କ୍ୟାରିୟର ଦିଲ୍ଲୀ ୟୁନିଭର୍ସିଟିର ଦୌଲତ ରାମ କଲେଜରୁ ଆରମ୍ଭ ହୋଇଥିଲା । ରେଖା ୧୯୯୨ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ରେ ସାମିଲ ହୋଇଥିଲେ ।
ବିଜେପିରେ ଅନେକ ପଦରେ ରହି ସାରିଛନ୍ତି ରେଖା ଗୁପ୍ତା
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ୧୯୯୪-୯୫ରେ ଦୌତଲ ରାମ କଲେଜର ସଂପାଦକ ରହିଥିଲେ । ପରେ ୧୯୯୫-୯୬ରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ସଂପାଦକ ଭାବେ କାମ କରିଥିଲେ । ଏହା ପରେ ୧୯୯୬-୯୭ରେ ଡିୟୁଏସୟୁର ଅଧ୍ୟକ୍ଷ ହୋଇଥିଲେ । ୨୦୦୩-୦୪ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଦିଲ୍ଲୀର ସଂପାଦକ ପଦରେ ରହିଥିଲେ । ୨୦୦୭ ଓ ୨୦୧୨ରେ ଉତ୍ତର ପିତମପୁରାର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ପୁଣି ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ମହିଳା କଲ୍ୟାଣ ଓ ଶିଶୁ ବିକାଶ ସମିତିର ଅଧ୍ୟକ୍ଷ ପଦରେ ରହିଥିଲେ ।
ପ୍ରଥମ ଥର ବିଧାୟକରୁ ମୁଖ୍ୟମନ୍ତ୍ରୀ
ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ରେ ରେଖା ଗୁପ୍ତା ପ୍ରଥମ ଥର ବିଧାୟକ ହୋଇଛନ୍ତି । ସେ ଶାଲିମାର ବାଗରୁ ନିର୍ବାଚିତ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ୨୦୧୫ରେ ପ୍ରଥମ ଥର ଦିଲ୍ଲୀ ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ ହେଁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ବନ୍ଦନା କୁମାରୀ ସିଂଙ୍କଠୁ ୧୦ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ । ଏହା ପରେ ୨୦୨୦ରେ ମଧ୍ୟ ବନ୍ଦନା କୁମାରୀ ରେଖାଙ୍କୁ ୩୪୪୦ ଭୋଟରେ ହରାଇଥିଲେ । ତଥାପି ସେ ସର୍ବଦା ଜନତା ସହ ଜଡିତ ରହୁଥିଲେ । ଏହି ସମୟରେ ଅନେକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆସୁଥିଲେ ।
ରେଖାଙ୍କ ପିତା ଏସବିଆଇ ବ୍ୟାଙ୍କରେ ଚାକିରି ପାଇବା ପରେ ତାଙ୍କ ପରିବାର ଦିଲ୍ଲୀକୁ ସ୍ଥାନାନ୍ତର ହୋଇଗଲେ । ଏବେ ବି ତାଙ୍କ ପରିବାର ଜୁଲାନାରେ କାରବାର କରୁଛନ୍ତି । ରେଖା ମଧ୍ୟ ନିଜ ଗାଁକୁ ନିୟମିତ ଯାଇଥାନ୍ତି । ରେଖାଙ୍କ ବିବାହ ଦିଲ୍ଲୀର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ସହ ହୋଇଛି ।