ଭୁବନେଶ୍ୱର: ବିଧାନସଭା ପରିସରରୁ ଚୋରି ହୋଇଥିବା ସାମଗ୍ରୀ ଫେରାଇବାକୁ କଂଗ୍ରେସ ଚିଠି ଲେଖିଛି । ସୁନା ଚେନ୍, ଘଣ୍ଟା, ପ୍ୟାଣ୍ଟ୍, ସାର୍ଟ, ଚଷମା ଆଦି ଚୋରି ସାମଗ୍ରୀ ଫେରାଇବାକୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଲେଖିଛନ୍ତି । ମାର୍ଚ୍ଚ ୨୬ ତାରିଖ ରାତି ପ୍ରାୟ ୨ଟା ୩୦ ବେଳେ କେତେକ ଅସାମାଜିକ ବ୍ୟକ୍ତି କଂଗ୍ରେସ ସଦସ୍ୟଙ୍କ ଠାରୁ ବିଧାନସଭା ପରିସରରୁ ଉପରୋକ୍ତ ସାମଗ୍ରୀକୁ ଚୋରି କରିନେଇଥିଲେ । ଉକ୍ତ ସାମଗ୍ରୀ ଗୁଡ଼ିକୁ ଏ ପର୍ଯ୍ୟନ୍ତ ଫେରାଯାଇ ନାହିଁ । ତେଣୁ ତୁରନ୍ତ ଜବତ ସାମଗ୍ରୀ ଫେରାଇବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।
ଗତ ମାର୍ଚ୍ଚ ୨୬ରେ ବଜେଟ୍ ଅଧିବେଶନ ଚାଲୁଥିବାବେଳେ କଂଗ୍ରେସ ବିଧାୟକମାନେ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରିଥିଲେ । ବିଧାୟକଙ୍କୁ ବାଚସ୍ପତି ନିଲମ୍ବିତ କରିଥିଲେ । ପ୍ରତିବାଦରେ କଂଗ୍ରେସ ସଦସ୍ୟମାନେ ବିଧାନସଭା ପରିସରରେ ରାତି ତମାମ ଧାରଣାରେ ବସିଥିଲେ । ଏହା ପରେ ବିଧାନସଭା ସୁରକ୍ଷାକର୍ମୀ ସେମାନଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସୁନା ଚେନ୍, ଘଣ୍ଟା, ଇତ୍ୟାଦି ନେଇଯାଇଥିଲେ । ତେଣୁ ସାମଗ୍ରୀକୁ ଫେରାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।