ଭୁବନେଶ୍ୱର: ମୋହନ ସରକାରଙ୍କ ବିରୁଦ୍ଧରେ କଂଗ୍ରେସ ଆଜି ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛି । ନିୟମ ଅନୁସାରେ ବାଚସ୍ପତିକୁ ଏହାକୁ ଗ୍ରହଣ କରିବା ସହିତେ ଆଲୋଚନା କରିବାକୁ ଅନୁମତି ଦେବେ । ବିଜେଡ଼ି ସମର୍ଥନ କରିବ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ସେପଟେ ଜଗତେ କେବଳ ଜନେ ହସିବେ ବୋଲି କଟାକ୍ଷ କରିଛନ୍ତି ବିଜେପି ସଦସ୍ୟ ବାବୁ ସିଂ ।
ତାରା ବାହିନୀପତି କହିଛନ୍ତି, ରାଜ୍ୟରେ ନାରୀ ହିଂସାଠାରୁ ଆରମ୍ଭ କରି ସାର ସଙ୍କଟ, ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଗମ୍ଭୀର ସମସ୍ୟା ଦେଖା ଦେଇଛନ୍ତି । ତେଣୁ ସରକାର ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିବା ଅଭିଯୋଗ କରିଛନ୍ତି ତାରା । ତେଣୁ ଆଗାମୀ ଗୃହ କାର୍ଯ୍ୟରେ ବାଚସ୍ପତି ଅନାସ୍ଥା ଉପରେ ଆଲୋଚନା କରିବାକୁ ଅନୁମତି ଦେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏ ନେଇ ବିଜେଡ଼ି ସହିତ ମଧ୍ୟ ଆଲୋଚନା ମଧ୍ୟ ହୋଇଛି । କେବେଳ ବିଜେଡ଼ିର ନିଷ୍ପତ୍ତିକୁ ଅପେକ୍ଷା ରହିଛି । ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହାକୁ ଖଣ୍ଡନ କରିଛନ୍ତି । ବିଜେଡ଼ି ଏବଂ କଂଗ୍ରେସ ମଧ୍ୟରେ ପୂର୍ବରୁ ଏଭଳି କୌଣସି ଆଲୋଚନା ହୋଇନଥିବା ସେ କହିଛନ୍ତି ।
ଅନ୍ୟପଟେ ଏକାମ୍ର ବିଧାୟକ ବାବୁ ସିଂହ ‘ଜଗତେ କେବଳ ଜନେ ହସିବେ’ କହି କଟାକ୍ଷ କଲେ । ଅନାସ୍ଥା ଆଣିବାକୁ ହେଲେ ପାଖାପାଖି ସଂଖ୍ୟା ରହିବା କଥା । କିନ୍ତୁ କଂଗ୍ରେସ ଏକ ଦଶମାଂଶ ସଂଖ୍ୟା ଅର୍ଥାତ ଦଶ ଭାଗରୁ ଏକ ଭାଗ ସଦସ୍ୟ ଥାଇ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ତେଣୁ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ।