ଆଜି ହେଉଛି ବିଶ୍ୱ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ । ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ପିଏମ୍ ମୋଦୀଙ୍କ ଜନ୍ମଦିନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ପକ୍ଷ ପାଳନ କରାଯାଉଛି । ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟ କରାଯାଉଛି । ନିଜର ଲୋକପ୍ରିୟତା ପାଇଁ ମୋଦୀଙ୍କୁ ଆଜି ସାରା ବିଶ୍ୱ ଅନୁକରଣ କରୁଛି । ଯେଉଁଥିପାଇଁ ମୋଦୀଙ୍କୁ ବିଶ୍ୱ ନେତାର ଆଖ୍ୟା ଦିଆଯାଇଛି ।
ନରେନ୍ଦ୍ର ମୋଦୀଙ୍କ ଜନ୍ମ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟର ମେହେସାଣା ଜିଲ୍ଲା ବଡ଼ନଗରର ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା । ପିତାଙ୍କ ନାମ ଦାମୋଦରଦାସ ମୁଲଚାନ୍ଦ ମୋଦୀ ଓ ମାତାଙ୍କ ନାମ ହୀରାବେନ୍ ମୋଦୀ । ଛଅ ଭାଇ ଭଉଣୀଙ୍କ ମଧ୍ୟରୁ ସେ ଥିଲେ ତୃତୀୟ ସନ୍ତାନ । ମୋଦୀଙ୍କ ପୁରା ନାମ ନରେନ୍ଦ୍ର ଦାମୋଦରଦାସ ଭାଇ ମୋଦୀ । ସେ ଛାତ୍ରାବସ୍ଥାରୁ ହିଁ ନିଜକୁ ଦେଶ ସେବା ପାଇଁ ଗଢ଼ି ତୋଳିଥିଲେ । ନାଁ ମାର ମମତା... ନାଁ ସାଂସାରିକ ମୋହ... ମୋଦୀଙ୍କୁ କିଛି ବି ବାନ୍ଧି ରଖିପାରିନଥିଲା । ଛାତ୍ର ଜୀବନରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଯୋଗ ଦେଇଥିଲେ । ୧୯୭୪ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗଦେଇ ଭ୍ରଷ୍ଟାଚାର ବିରୋଧୀ ନବ ନିର୍ମାଣ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସେହିପରି ଜରୁରୀକାଳୀନ ସମୟରେ ନିଜକୁ ଆତ୍ମଗୋପନ କରି ଗୋପନୀୟଭାବେ ତତ୍କାଳୀନ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ମଧ୍ୟ କରିଥିଲେ । ୧୯୮୭ ମସିହାରେ ବିଜେପିରେ ଯୋଗଦାନ କରି ଜଣେ ସଚ୍ଚୋଟ କର୍ମୀଭାବେ ନିଜକୁ ସମର୍ପଣ କରିଦେଇଥିଲେ । ତାଙ୍କ ଯୋଗଦାନ ପରେ ବିଜେପି ଗୁଜରାଟରେ ଧିରେ ଧିରେ ଆଗକୁ ବଢ଼ିଥିଲା । ୧୯୮୮ ରୁ ୧୯୯୫ ଯାଏ ସଙ୍ଗଠନକୁ ସୁଦୃଢ଼ କରି ବିଜେପିକୁ ଏକାକୀ ସରକାର ଗଢ଼ିଥିଲା । ଆଉ ଏଥିରେ ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣଭାବେ ଅଂଶ ଗ୍ରହଣ କରିଥିଲେ । ଲାଲକୃଷ୍ଣ ଆଡଭାନୀଙ୍କ ସହିତ ମିଶି ସୋମନାଥରୁ ଅଯୋଧ୍ୟା ରଥଯାତ୍ରା ଏବଂ କନ୍ୟାକୁମାରୀରୁ ଉତ୍ତର କାଶ୍ମୀର ଯାତ୍ରାରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏହି ପରି ବିଜେପିର ଜଣେ ସାଧାରଣ କର୍ମୀଭାବେ କାମ କରିଚାଲିଥିଲେ ।
୨୦୦୧ରେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରିଥିଲା ଏବଂ ପରବର୍ତ୍ତୀ ସମୟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ଗୁଜରାଟକୁ ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପରେ ବିଜେପି ଦେଶର ଦାୟିତ୍ୱ ହସ୍ତାନ୍ତର କରିଥିଲା । ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀଭାବେ ଦାୟିତ୍ୱ ଗ୍ରହଣ କଲେ । ଦେଶର ତିନି ତିନି ଥର ପ୍ରଧାନମନ୍ତ୍ରୀ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବିମୁଦ୍ରୀକରଣ, ଜାମ୍ମୁ କାଶ୍ମୀରରୁ ୩୭୦ ଉଚ୍ଛେଦ, ତିନି ତଲାକ୍ ଉଚ୍ଛେଦ ଭଳି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ବିଶ୍ୱର ବହୁ ବଡ଼ ବଡ଼ ରାଷ୍ଟ୍ର ସହିତ ମଧ୍ୟ ଭାରତରୁ ସମ୍ପର୍କକୁ ମଜବୁତ କରିଛନ୍ତି ମୋଦୀ ।