ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ୭୫ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଦେଶ ତଥା ବିଦେଶରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିନା ସମୟ ବିତାଇ ପିଏମ ମୋଦୀଙ୍କୁ ଫୋନ କରି ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । ଭାରତରେ ଶାସକ ଦଳଠୁ ନେଇ ବିରୋଧୀ ଦଳର ଅନେକ ନେତା ମଧ୍ୟ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଲୋକସଭାର ବିରୋଧୀ ଦଳ ନତା ମଧ୍ୟ ଏହି ଅବସରରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟର କାମନା କରିଛନ୍ତି । ଏହି କ୍ରମରେ ବିରୋଧୀ ଦଳ ନେତା ତଥା ବଲିଉଡ ଅଭିନେତା ଓ ତୃଣମୂଳ କଂଗ୍ରେସ ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ନାଁ ବି ସାମିଲ ହୋଇ ଯାଇଛି । ହେଲେ ଏଥିପାଇଁ ତାଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡିଛି ।
ଶତ୍ରୁଘ୍ନ ସିହ୍ନା ପିଏମ ମୋଦୀଙ୍କ ସହିତ ପୁରୁଣା ଫଟୋ ପୋଷ୍ଟ କରି ଏକ୍ସରେ ଲେଖିଛନ୍ତି, ମୋର ପ୍ରକୃତ ବନ୍ଧୁ ଓ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ବହୁତସାରା ଶୁଭକାମନା । ଭଗବାନ ଆପଣଙ୍କୁ ଅପାର ଖୁସି, ଶାନ୍ତି, ଆନନ୍ଦ, ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁ ପ୍ରଦାନ କରନ୍ତୁ । ଅନ୍ୟ ଏକ ପୋଷ୍ଟରେ ସେ ଲେଖିଛନ୍ତି, ଥରେ ମିତ୍ର ହୋଇଗଲେ ସର୍ବଦା ବନ୍ଧୁ ହୋଇ ରହିବେ ।
ତାଙ୍କର ଏହି ପୋଷ୍ଟକୁ ନେଇ ଅନେକ ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ଫଲୋଅର୍ସ ପଚାରିଛନ୍ତି ଯେ, କଣ ଆପଣଙ୍କ ଗୃହ ପ୍ରତ୍ୟାବର୍ତ୍ତନ ହେବାକୁ ଯାଉଛି କି ? ଆଉ ଜଣେ ଲେଖିଛନ୍ତି, ମନେ ପଡୁଛି ବିଜେପିର ପୁରୁଣା ଧମକ, ମମତାଙ୍କ ହୃଦୟ ଭରି ଯାଇଥିଲା ? ବିଜେପି ସହ ସଂପର୍କ ଛିନ୍ନ କରି ଆଜି ପର୍ଯ୍ୟନ୍ତ କୌଣସି ନେତାଙ୍କ ମଙ୍ଗଳ ହୋଇନି । ଆଉ ଜଣେ ଲେଖିଛନ୍ତି, ଏବେ ସମୟ ଆସି ଯାଇଛି, ମୋଦୀ ଜୀ ଶତ୍ରୁଘ୍ନ ସିହ୍ନାଙ୍କୁ ବିଜେପିକୁ ଫେରାଇ ନିଅନ୍ତୁ । ଶେଷରେ ମତଭେଦକୁ ଭୁଲି ଯାଆନ୍ତୁ ।
ଉଲ୍ଲେଖନୀୟ ବିହାରୀ ବାବୁ ଓ ସଟଗନ ନାମରେ ପ୍ରସିଦ୍ଧ ଖ୍ୟାତାନାମା ଅଭିନେତା ଶତ୍ରୁଘ୍ନ ସିହ୍ନା ପ୍ରଥମେ ବିଜେପିରେ ଥିଲେ । ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଥିଲେ । ବିଜେପିରୁ ଟିକେଟ୍ ନ ମିଳିବାରୁ ସେ ବିଦ୍ରୋହ କରିଥିଲେ ଏବଂ ପରେ ମମତା ବାନାର୍ଜୀଙ୍କ ଟିଏମସିରେ ସାମିଲ ହୋଇଥିଲେ । ଗତ ନିର୍ବାଚନରେ ସେ ଆସନସୋଲ ସିଟରୁ ଦମଦାର ବିଜୟ ହାସଲ କରିଥିଲେ ।
Also read: ୧୩ ବର୍ଷ ମୁଖ୍ୟମନ୍ତ୍ରୀ, ୧୧ ବର୍ଷ ପ୍ରଧାନମନ୍ତ୍ରୀ: ନରେନ୍ଦ୍ର ମୋଦୀଙ୍କ ପାଖରେ କେବଳ ଏତିକି ସମ୍ପତ୍ତି