ବାଲେଶ୍ୱର: ଏଫ୍ ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଦେହାନ୍ତ ପରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ସୌମ୍ୟାଶ୍ରୀ ଜଣେ ସାହସୀ ଝିଅ ଥିଲେ । ସେ ନିଜେ ଅଭିଯୋଗ ନେଇ ଆସିଥିଲେ । କିନ୍ତୁ କଲେଜ ଅଧ୍ୟକ୍ଷଙ୍କ ଛୋଟିଆ ଭୁଲ ପାଇଁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲା ବୋଲି କହିଛନ୍ତି ସାଂସଦ ।
ସାଂସଦ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସୌମ୍ୟାଶ୍ରୀ ନିଜେ ତାର ସାଥିମାନଙ୍କ ସହିତ ଅଭିଯୋଗ କରିବାକୁ ଆସିଥିଲା । ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା । ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା । ଏହା ସହିତ ତାଙ୍କୁ ଥାନାରେ ମାମଲା ରୁଜୁ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ କଲେଜ ଅଧ୍ୟକ୍ଷ କାହାକୁ କିଛି ନ ଜଣାଇ ଆଇସିସି କମିଟି ରିପୋର୍ଟ ସିଧାସଳଖ ଛାତ୍ରୀଙ୍କୁ ଦେଖାଇଥିଲେ । ଏହା ସହିତ ଛାତ୍ରୀଙ୍କୁ କହିଥିଲେ, ସେ ଲିଖିତ ଆକାରରେ ଦିଅନ୍ତୁ କି ମିଥ୍ୟା ଅଭିଯୋଗ ଆଣିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯାହା ଫଳରେ ଛାତ୍ରୀ ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିଲେ । ସେ ଏପରି ପଦକ୍ଷେପ ଗ୍ରହଣ କରିବ ବୋଲି ସେ ଚିନ୍ତା ବି କରିନଥିଲେ ବୋଲି କହିଛନ୍ତି ସାଂସଦ ।
ଏହା ସହିତ ସାଂସଦ କହିଛନ୍ତି ଯେ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଏବଂ ଏଜୁକେସନ ବିଭାଗ ମୁଖ୍ୟ ଅଧ୍ୟାପକ ସମୀର ସାହୁଙ୍କୁ ଗିରଫ କରାଯାଇଛି । ଏହା ସହିତ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତେବେ ଯେଉଁମାନେ ଏବେ ବିରୋଧ ପ୍ରଦର୍ଶନ କରୁଛନ୍ତି, ସେମାନଙ୍କ ମଧ୍ୟରେ କିଛି ବ୍ୟକ୍ତି ସୋସିଆଲ୍ ମିଡ଼ିଆରେ ସୌମ୍ୟାଶ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ । ତେଣୁ ଏହି ମାମଲାରେ ଜଡ଼ିତ କୌଣସି ବି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ । ସମସ୍ତଙ୍କ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି ସାଂସଦ ।
ସେପଟେ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଗଭୀର ଆଘାତ ଦେଇଛନ୍ତି । ଦୋଷୀଙ୍କ ବିରୁଦ୍ଧରେ ଗୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି ।