ଶ୍ରୀନଗର: ନୂତନ ସରକାର ଆସିବା ପରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଓମାର ଅବଦୁଲ୍ଲା ସରକାର ଆଣିଥିବା ପ୍ରସ୍ତାବକୁ ଶନିବାର ଉପ ରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ଗତ ଗୁରୁବାର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ କ୍ୟାବିନେଟ୍ ବୈଠକରେ ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବାକୁ ପ୍ରସ୍ତାବ ଆଗତ କରାଯାଇଥିଲା । ଏହା ପରେ ଉକ୍ତ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଥିଲା । ତେବେ ଆଜି ଏହି ପ୍ରସ୍ତାବ ଉପରେ ଉପ ରାଜ୍ୟପାଳଙ୍କର ମଧ୍ୟ ମୋହର ଲାଗିଛି । ଏହି ପ୍ରସ୍ତାବ ଆଗତରେ କୁହାଯାଇଛି କି ଜମ୍ମୁ କାଶ୍ମୀର ବାସିନ୍ଦାମାନେ ସେମାନଙ୍କ ଅଧିକାରୀ ପୁନର୍ବାର ଫେରି ପାଇବେ ଏବଂ ତାଙ୍କର ପରିଚୟ ମଧ୍ୟ ରକ୍ଷା ହୋଇ ପାରିବ ।
କେନ୍ଦ୍ର ହାତରେ ଜମ୍ମୁ କାଶ୍ମୀର ଗୋଟି
ତେବେ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀମଣ୍ଡଳଙ୍କ ସହିତ ଆଲୋଚନା କରିବାକୁ ଦିଲ୍ଲୀ ଯାଇ ପାରନ୍ତି । ଜମ୍ମୁ କାଶ୍ମୀରକୁ ପୁନର୍ବାର ରାଜ୍ୟର ମାନ୍ୟତା ଦେବା ଓମାରଙ୍କ ପାଇଁ ଏତେ ସହଜ ହେବ ନାହିଁ । କାରଣ ଜମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ-୨୦୧୯ ଆଧାରରେ ଏହି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ଗୋଟିଏ ଜମ୍ମୁ କାଶ୍ମୀର ଏବଂ ଅନ୍ୟଟି ଲାଦାଖ । ତେଣୁ ପୁଣି ଥରେ ରାଜ୍ୟର ମାନ୍ୟତା ଦେବାକୁ ହେଲେ ଉଭୟ ଲୋକସଭା ଏବଂ ରାଜ୍ୟ ସଭାରେ ପ୍ରସ୍ତାବକୁ ଅନୁମୋଦନ ମିଳିବା ଆବଶ୍ୟକ । ଏହା ପରେ ରାଷ୍ଟ୍ରପତି ଅନୁମୋଦିତ ପ୍ରସ୍ତାବ ଉପରେ ଅନ୍ତିମ ମୋହର ମାରିବେ । ଏହା ପରେ ଯାଇ ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ।
ଅନ୍ୟପକ୍ଷରେ ଆସନ୍ତା ନଭେମ୍ବର ୪ ତାରିଖରେ ଶ୍ରୀନଗରରେ ପ୍ରଥମ ବିଧାନସଭା ଅଧିବେଶନ ବସିବାର କାର୍ଯ୍ୟକ୍ରମ ରହିଛି । ଉପ ରାଜ୍ୟପାଳ ପ୍ରଥମ ଅଧିବେଶନକୁ ସମ୍ବୋଧିତ କରିବାକୁ ରାଜ୍ୟ ମନ୍ତ୍ରୀ ମଣ୍ଡଳ ନିକଟରେ ପ୍ରସ୍ତାବ ରଖାଯାଇଛି । ମନ୍ତ୍ରୀ ପରିଷଦ ମୁବାରିକ୍ ଗୁଲଙ୍କୁ କାମଚଳା ବାଚସ୍ପତିଭାବେ ନିଯୁକ୍ତ କରିବାକୁ ଉପ ରାଜ୍ୟପାଳଙ୍କ ନିକଟରେ ପ୍ରସ୍ତାବ ରଖିଛି । ମୁବାରିକ୍ ଗୁଲ ନବ ନିର୍ବାଚିତ ବିଧାୟକମାନଙ୍କୁ ଅକ୍ଟୋବର ୨୧ତାରିଖରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ ।