ଭୁୁବନେଶ୍ୱର : ସାଧାରଣ ନିର୍ବାଚନକୁ ତିନି ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ପରାଜୟର ଗ୍ଲାନିରୁ ଏ ପର୍ଯ୍ୟନ୍ତ ବାହାରି ପାରିନି ବିଜୁ ଜନତା ଦଳ । ପାର୍ଟିରେ ଦଳୀୟ କନ୍ଦଳ ବଢିବାରେ ଲାଗିଛି । ଜଣେ ପରେ ଜଣେ ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରି ଦଳ ସୁପ୍ରିମୋଙ୍କ ପ୍ରତି ପରୋକ୍ଷରେ ହେଉ ଅବା ପ୍ରତ୍ୟେକ୍ଷରେ କ୍ଷୋଭ ପ୍ରକାଶ କରୁଛନ୍ତି । ଏହି କ୍ରମରେ ଆଜି ବରିଷ୍ଠ ନେତା ଭୂପିନ୍ଦର ସିଂହ ବିଜେଡିକୁ ତେରଚ୍ଛା ବାଣ ମାରିଛନ୍ତି । ସେ ଫୁଟବଲ୍ ଓ କ୍ରିକେଟ୍ ଖେଳକୁ ନେଇ ଦଳକୁ ପରୋକ୍ଷରେ ସମାଲୋଚନା କରିଛନ୍ତି ।
ସେ କହିଛନ୍ତି, ପଲିଟିକ୍ସ ହେଉଛି ସ୍ପୋର୍ଟ୍ସ । ମୁଁ ମୋ ଟିମ୍କୁ ନର୍ଲାରେ ହରାଇ ନାହିଁ । ବର୍ତ୍ତମାନ ଆଇପିଏଲର ଜମାନା । ବହୁତ ଖେଳାଳି ବାହାରିଲେଣି । କିଣାବିକା ବଢୁଛି । ଏହାହିଁ ଭବିଷ୍ୟତର ରାଜନୀତି । ଅଭିଜ୍ଞ ଖେଳାଳି ସବୁବେଳେ ଆବଶ୍ୟକ । ମୁଁ ବର୍ତ୍ତମାନ ମଇଦାନରେ ନାହିଁ ଟିଭିରେ ମ୍ୟାଚ ଦେଖୁଛି । ଯେଉଁ ସବୁ ପ୍ରତିଷ୍ଠାତା ସଦସ୍ୟ ଓ ବରିଷ୍ଠ ନେତାମାନେ ମତ ମନ୍ତବ୍ୟ ଦେଉଛନ୍ତି ତାହା ତାଙ୍କ ମତ ନୁହେଁ, ଲୋକଙ୍କ ମତ।
ବିଜେଡିର ଏହି ବରିଷ୍ଠ ନେତା କହିଛନ୍ତି, ସଭାପତି ମଧ୍ୟ ତାକୁ ଖେଳୁଆଡ ମନୋଭାବରେ ନେବା ଆବଶ୍ୟକ ବୋଲି ଶ୍ରୀ ସିଂ କହିଛନ୍ତି। ଆତ୍ମଘାତୀ ଗୋଲ୍ ହେଲେ ପରାଜୟ ସୁନିଶ୍ଚିତ। ଗୋଲ୍ କିପର ଯଦି ସ୍ଲିପର ସେଲ୍ ହେବ, ତାହା ହେଲେ କ’ଣ କରାଯାଇ ପାରିବ ବୋଲି ସେ କଟାକ୍ଷ କରି ପରୋକ୍ଷରେ ଦଳକୁ ଟାର୍ଗେଟ୍ କରିଛନ୍ତି ।
ତାଙ୍କ ପୂର୍ବ୍ରରୁ ବଡଚଣାର ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ଦଳର ପରାଜୟ ପରେ ବିଜେଡି ପାର୍ଟିକୁ ସମାଲୋଚନା କରିବା ସହିତ ଉପଦେଶ ମଧ୍ୟ ଦେଇଛନ୍ତି । ଏପରିକି ସେ ଏଥର ବିଜେଡିର ସଦସ୍ୟତା ମଧ୍ୟ ଗ୍ରହଣ କରି ନାହାନ୍ତି ।