ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା ପରେ ଶନିବାର ଭାରତୀୟ ଜନତା ପ୍ରାର୍ଥୀ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ପ୍ରଥମ ତାଲିକାରେ ୬୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ବିଜେପି ରାଜ୍ୟ ସଭାପତି ବାବୁଲାଲ୍ ମାରାଣ୍ଡିଙ୍କୁ ଧାନୱାର ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରିଛି ଦଳ। ସେହିପରି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ଷଢେଇକଳାରୁ ପ୍ରାର୍ଥୀ କରାଯାଇଛି । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁଙ୍କୁ ଦଳ ଟିକେଟ୍ ଦେଇଛି ।
ପାର୍ଟି ପକ୍ଷରୁ ଜାରି ପ୍ରାର୍ଥୀ ତାଲିକା ଅନୁସାରେ ଜାମତାଡ଼ା ଆସନରୁ ସୀତା ସୋରେନ, କୋଡରମାରୁ ନୀରା ଯାଦବ, ଗଣ୍ଡେୟରୁ ସୁନିୟା ଦେବୀ, ସିନ୍ଦରୀରୁ ତାରା ଦେବୀ, ନିରସାରୁ ଅପର୍ଣ୍ଣା ସେନଗୁପ୍ତା, ଝରିଆରୁ ରାଗିନୀ ସିଂହ, ଚାଇବାସାରୁ ଗୀତା ବଲମୁଚୂ, ଛତରପୁରରୁ ପୁଷ୍ପା ଦେବୀଙ୍କୁ ବିଜେପି ଟିକଟ ଦେଇଛି । ପୂର୍ବ ଜାମସେଦପୁରରୁ ପୂର୍ଣ୍ଣିମା ଦାସ ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି । ପୂର୍ଣ୍ଣିମା ହେଉଛନ୍ତି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ।
ସୂଚନାଯୋଗ୍ୟ, ଦୁଇଟି ପର୍ଯ୍ୟାୟରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ୱର ୧୩ରେ ପ୍ରଥମ ଏବଂ ନଭେମ୍ୱର ୨୦ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ । ପ୍ରଥମ ପର୍ଯ୍ୟାୟରେ ୪୩ ବିଧାନସଭା ଆସନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୩୮ ସିଟ୍ ପାଇଁ ଭୋଟ୍ ଗ୍ରହଣ ହେବ । ମଇଦାନରେ ବିଜେପି ନେତୃତ୍ୱାଧୀନ ଏନଡିଏର ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ କଡା ଟକ୍କର ହେବ ।