ଭୁବନେଶ୍ୱର: ୱକଫକୁ ନେଇ ବିଜୁ ଜନତା ଦଳରେ ସୃଷ୍ଟି ହୋଇଥିବା ବିବାଦର ଝଡ଼ ଏବେବି ଥମୁନାହିଁ । ପାଣ୍ଡିଆନଙ୍କ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି । ସେପଟେ ସୁଲତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଆଲୋଚନା ଜୋର ଧରିଛି । କିନ୍ତୁ ସୁଲତାଙ୍କ ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ କହିବା ପରେ ଆଉ କାହାର କହିବାର ଅଧିକାର ନାହିଁ ।
ଦେବାଶିଷ ସାମନ୍ତ ସୁଲତା ଦେଓଙ୍କ ନାଁ ନ ନେଇ ବୟାନ ରଖିଛନ୍ତି । ସେ ଜଣକ ଉପରେ କିଛି କହିବାକୁ ଚାହାଁନ୍ତି ନାହିଁ । ସେ (ସୁଲତା) ଦଳକୁ କେବେ ଆସିଛନ୍ତି ମୁଁ (ଦେବାଶିଷ) ଦଳକୁ କେବେ ଆସିଛନ୍ତି ସେଥିରେ ପାର୍ଥକ୍ୟ ରହିଛି । ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେବା ପରେ ଆଉ କାହାର କହିବାର ଅଧିକାର ନାହିଁ । ଦଳର କିଛି ବରିଷ୍ଠ ନେତା ଅଛନ୍ତି ଶୃଙ୍ଖଳା ରଖିବାକୁ ଚେଷ୍ଟା କରୁଥିବାବେଳେ କିଛି କନିଷ୍ଠ ନେତା ଅଛନ୍ତି ଶୃଙ୍ଖଳା ଭଙ୍ଗ କରିବାକୁ ଚାହୁଁଛନ୍ତି । ଏକଥା ସୁପ୍ରିମୋଙ୍କୁ ଦୃଷ୍ଟିଗୋଚର କରାଯାଇଥିବା ସେ କହିଛନ୍ତି ।
ତେବେ ଗତ ଶନିବାର ସୁଲତା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଥିଲେ, ଏପ୍ରିଲ 7 ତାରିଖରେ ନେତା ନବୀନ ସିଧା ଶବ୍ଦରେ କହିଥିଲେ ଯେ ବିବେକାନୁମୋଦିତ ଭୋଟ୍ ଦେବାକୁ କହିଥିଲେ । ଏହି ପରିପ୍ରେକ୍ଷୀରେ ସେ ମୁନା ଖାଁ ଏବଂ ଦେବାଶିଷଙ୍କୁ ଟାର୍ଗେଟ୍ କରିଛନ୍ତି । ମୁନ୍ନା ଖାଁ ଜାଣିଶୁଣି ସସ୍ମିତଙ୍କ ଉପରେ ଆରୋପ ଲଗାଇଛନ୍ତି ବୋଲି କହିଛନ୍ତି ସୁଲତା ।