କୋଲକାତା:ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱାକଫକୁ ନେଇ ଘଟିଥିବା ହିଂସା ପରେ ବି ଉତ୍ତେଜନା ଥମିବାର ନାଁ ନେଉନି । ତା ଉପରକୁ ରାଜନେତାମାନେ ବିବାଦୀୟ ବୟାନ ଦେଇ ନିଆଁରେ ଘିଅ ଢାଳିବାର କାମ କରୁଛନ୍ତି । ଏହି କ୍ରମରେ ଟିଏମସି ସାଂସଦ ବାପି ହଲଦର ବିବାଦୀୟ ଟିପ୍ପଣୀ କରି କହିଛନ୍ତି, ଯଦି କେହି ବି ୱାକଫର ସଂପତ୍ତି ଉପରେ ନଜର ପକାଏ ତେବ ତାର ଆଖି ତାଡି ଦେବୁ ଏବଂ ହାଡ ଭାଙ୍ଗି ଦେବୁ । ଏବେ ବିଜେପି ପାଲଟା ଜବାବ ଦେଇ ଉକ୍ତ ନେତାଙ୍କ ଗିରଫଦାରୀ ଦାବି କରିଛି ।
ହଲଦର କହିଛନ୍ତି, ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଛନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କ ବଂଶଜର ସଂପତ୍ତି ରକ୍ଷା କରିବାର ଦାୟିତ୍ୱ ଆମ ଉପରେ ରହିଛି । ଏହା କାହାରି ବାପାର ସଂପତ୍ତି ନୁହେଁ । ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟ ପୋଲିସ ହଲଦରଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ।ସେ କହିଛନ୍ତି, ମୁର୍ଶିଦାବାଦରେ ହିନ୍ଦୁମାନେ ପଳାୟନ କରୁଛନ୍ତି । ଏଠାରେ ଚରମପନ୍ଥୀ ହିନ୍ଦୁଙ୍କ ଅସ୍ଥିତ୍ୱ ନଷ୍ଟ କରିବାକୁ ଚାହୁଁଛନ୍ତି ।
ସୂଚନାଯୋଗ୍ୟ, ମୁର୍ଶିଦାବାଦର ସୁତି, ଧୁଲିୟାନ, ସମସେରଗଞ୍ଜ ଓ ଜଙ୍ଗିପୁରାରେ ଘଟିଥିବା ହିଂସାରେ ଅତି କମରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଶୁକ୍ରବାର ପରଠୁ କୌଣସି ହିଂସାତ୍ମକ ଘଟଣା ଘଟିନାହିଁ । ଏ ପର୍ଯ୍ୟନ୍ତ ହିଂସାରେ ୧୮ ଜଣ ଆହତ ହୋଇଛନ୍ତି । ଅନେକ ଘର, ଗାଡିରେ ଉପଦ୍ରବୀମାନେ ନିଆଁ ଲଗାଇ ଦେଇଛନ୍ତି । ପଶ୍ଚିମବଙ୍ଗ ହିଂସାର ଏନଆଇଏ ତଦନ୍ତ କରାଯାଉ ବୋଲି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ।