ଭୁବନେଶ୍ୱର: ୱକଫକୁ ନେଇ ବିଜୁ ଜନତା ଦଳରେ ଦେଖାଦେଇଥିବା ବିଶୃଙ୍ଖଳା ମଧ୍ୟରେ ବାହ୍ୟ ଶକ୍ତି ପ୍ରବେଶର ଗନ୍ଧ ବାରିଛନ୍ତି ଦଳର ବରିଷ୍ଠ ନେତା । ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବରିଷ୍ଠ ନେତା ତଥା ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କିଛି ସଙ୍ଗଠନ ଦଳକୁ ହାଇଜାକ୍ କରିବାକୁ ଚେଷ୍ଟା କରୁଥିବା ସେ ଆଶଙ୍କା ପ୍ରକାଶ କରିଛନ୍ତି । ଏଥିପାଇଁ ଦଳର ସଙ୍ଗଠନକୁ ମଜବୁତ କରିବାକୁ ଚିଠି ଜରିଆରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗୁହାରୀ କରିଛନ୍ତି ରଣେନ୍ଦ୍ର । ସେହିପରି ଦଳ କିପରି ତାର ମୂଳ ସୂତ୍ରକୁ ଫେରିବା ତାହା ଉପରେ ଆଲୋକପାତ କରିବା ସହିତ ଦଳରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।
ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୁପ୍ରିମୋଙ୍କୁ ଚିଠି ଲେଖି ଦଳରେ ଚାଲିଥିବା ବିଶୃଙ୍ଖଳାକୁ ନିୟନ୍ତ୍ରଣକୁ ଆଣିବାକୁ କହିଛନ୍ତି । ସଂଗଠନରେ ସଂରକ୍ଷଣ ନେଇ ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି । ବିଜେଡି ସାମାଜିକ ନ୍ୟାୟ, ଧର୍ମ ନିରପେକ୍ଷତା, ଆଞ୍ଚଳିକ ସନ୍ତୁଳନକୁ ନେଇ ବଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି । ଜିଲ୍ଲା, ବ୍ଲକ୍ ସ୍ତରରେ ଜନସଂଖ୍ୟା ଅନୁପାତରେ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ମହିଳାଙ୍କୁ ଦଳରେ ସ୍ଥାନ ଦିଆଯାଉ । ତେବେ ଯାଇ ଦଳୀୟ ସଂଗଠନ ସାମାଜିକ ନ୍ୟାୟ ଏବଂ ଆଞ୍ଚଳିକ ସମାନତା ଆଦର୍ଶକୁ ପ୍ରକୃତରେ ବଜାୟ ରଖିପାରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ରଣେନ୍ଦ୍ର । ସେହିପରି କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜାକ କରିବାକୁ ନ ଦିଆଯାଉ ବୋଲି କହିଛନ୍ତି ।
ସେହିପରି ରଣେନ୍ଦ୍ର ଆହୁରି କହିଛନ୍ତି ଯେ ୱକଫ୍ ବିଲକୁ ଦଳର କର୍ମୀମାନଙ୍କ ମଧ୍ୟରେ ଯେଉଁ ବିବାଦ ଦେଖାଦେଇଛି ତାହା ଦଳର ଧର୍ମ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାମାଜିକ ନ୍ୟାୟ ଏବଂ ଧର୍ମନିରପେକ୍ଷତାର ମୂଳ ସୂତ୍ରକୁ ନେଇ ଗଠିତ ଦଳ ଏହାର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରିବାକୁ ସେ ନିବେଦନ କରିଛନ୍ତି ଏବଂ ଆଗକୁ ବଢ଼ିବା ପାଇଁ କର୍ମୀଙ୍କୁ ପୂର୍ଣ୍ଣ ବିଶ୍ୱାସରେ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି । ଧର୍ମ ନିରପେକ୍ଷତା ଓ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ପାଇଁ ପଦେକ୍ଷେପ ନିଆଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ରଣେନ୍ଦ୍ର ।