ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର କେଦାର ଯାଦବ କ୍ରିକେଟ୍ ପରେ ରାଜନୀତିରେ ପାଦ ଦେଇ ନିଜ କ୍ୟାରିୟରରେ ନୂଆ ଇନିଂସ ଆରମ୍ଭ କରିଛନ୍ତି। ମଙ୍ଗଳବାର ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେଦାର ଯାଦବ ବିଜେପିରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରର ମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି ଚନ୍ଦ୍ରଶେଖର ବାବନକୁଲେଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ଚନ୍ଦ୍ରଶେଖର ବାବନକୁଲେ ପାର୍ଟିର ଉତ୍ତରୀୟ ପିନ୍ଧାଇ ତାଙ୍କୁ ବିଜେପିର ସଦସ୍ୟତା ଦେଇଛନ୍ତି।
ବିଜେପିରେ ଯୋଗ ଦେବା ପରେ କେଦାର ଯାଦବ କହିଛନ୍ତି,୨୦୧୪ରୁ ଯେବେ କେନ୍ଦ୍ରରେ ବିଜେପି ସରକାର ଆସିଛି, ଯେଉଁଭଳି ଭାବେ ଜନତାଙ୍କ ଭଲ ପାଇବା ଓ ସମର୍ଥନ ମିଳିବା ତାହା ଅଦ୍ଭୁତପୂର୍ବ। ଯେଉଁଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ଉପଲବ୍ଧି ହାସଲ କରିଛନ୍ତି, ଏହା ମୋତେ ବହୁତ ପ୍ରେରଣା ଦେଇଛି। ସେମାନଙ୍କ ପଥରେ ଚାଲିବା ମୋର ଲକ୍ଷ୍ୟ। ବିଜେପି ପାଇଁ ଯାହା ବି କିଛି ଛୋଟ ଯୋଗଦାନ ଦେଇ ପାରିବି ତାହା ନିଶ୍ଚିତ ଭାବେ କରିବି। ଦଳ ମୋତେ ଯାହା ଦାୟିତ୍ଵ ଦେବ ତାହା ସଚ୍ଚୋଟତାର ସହ ପାଳନ କରିବାକୁ ଉଦ୍ୟମ କରିବି।
ସୂଚନାଯୋଗ୍ୟ, କେଦାର ଯାଦବ ଗତ ବର୍ଷ ଜୁନରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ୩୯ ବର୍ଷୀୟ ଏହି ଖେଳାଳି ଭାରତ ପାଇଁ ନିଜର ଶେଷ ମ୍ୟାଚ୍ ୨୦୨୦ ଫେବୃଆରୀ ୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ଏହି ଡାହାଣହାତୀ ବ୍ୟାଟର ୨୦୧୪ରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଥିଲେ। ସେ ଶ୍ରୀଲଙ୍କା ବିପକ୍ଷରେ ରାଞ୍ଚିରେ ୨୦୧୪ ନଭେମ୍ବର ୧୬ରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ଦଳର ପ୍ରତିନିଧିତ୍ଵ କରିଥିଲେ।
୭୩ଟି ଦିନିକିଆରୁ ଯାଦବ ୪୨.୦୯ ହାରରେ ୧୩୮୯ ରନ କରିଛନ୍ତି। ଏଥିରେ ୨ ଶତକ ଓ ୬ ଅର୍ଦ୍ଧଶତକ ସାମିଲ। ବୋଲିଂରେ ସେ ୨୭ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଆଇପିଏଲ୍ରେ ସେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଦୀର୍ଘ ସମୟ ଖେଳିଛନ୍ତି। ଆଇପିଏଲ୍ରେ ୯୫ଟି ମ୍ୟାଚ୍ରେ ୧୨୩.୧୭ ଷ୍ଟ୍ରାଇକ ରେଟ୍ରେ ସେ ୧୧୯୬ ରନ କରିଛନ୍ତି। ଏଥିରେ ୪ ଅର୍ଦ୍ଧଶତକ ସାମିଲ।