ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ଶେଷ ହେବାର ପାଞ୍ଚ ମାସ ବିତି ଗଲାଣି । ତଥାପି ନିଜର ପରାଜୟକୁ ନେଇ କାରଣ ଖୋଜୁଛି ବିଜୁ ଜନତା ଦଳ । ଜଣକ ପରେ ଜଣେ ନେତା ଦଳ ଛାଡ଼ୁଥିବାବେଳେ କିଛି ନେତା ପରାଜୟ ପାଇଁ ସଭାପତି ନବୀନ ପଟ୍ଟନାୟକଙ୍କୁ ଦାୟୀ କରୁଛନ୍ତି । ଆଜି ପୁଣି ଜଣେ ବରିଷ୍ଠ ନେତା ସିଧାସଳଖ ନବୀନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା ବିସ୍ଫୋରକ ବୟାନ ଦେଇଛନ୍ତି ।
ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି, ଦଳ ଭୁଲ ବାଟରେ ପରିଚାଳିତ ହୋଇଥିଲା, କିନ୍ତୁ ଏବେ ଆଉ ସେହି ଭୁଲ ପନ୍ଥା ଆପଣାଇ ନାହିଁ। ଏବେ ଦଳ ଠିକ୍ ରାସ୍ତାକୁ ଆସି ସାରିଲାଣି । ଦଳକୁ ସାଧାରଣତଃ ମାନ୍ୟବର ମୁଖ୍ୟମନ୍ତ୍ରୀ ଟିକେ ବୋଧେ ଅଣଦେଖା କଲେ। ଯାହା ଫଳରେ ଦଳ ପରାଜିତ ହେଲା। ଦଳର ସଭାପତି ନିଜେ ସମସ୍ତ ସଭା ସମିତିରେ ଯୋଗ ଦେବା ବଦଳରେ ତାଙ୍କର ପ୍ରତିନିଧିତ୍ୱମାନେ ଯୋଗ ଦେଲେ । ତେଣୁ ଦଳର କିଛି କର୍ମୀ ଓ ବ୍ୟକ୍ତିତ୍ୱ ଅସନ୍ତୁଷ୍ଟ ହୋଇଥିଲେ । ତେଣୁ ଏହା ମଧ୍ୟ ଦଳର ପରାଜୟର ଆଉ ଏକ କାରଣ । ପରିଚାଳନାଗତ ତ୍ରୁଟି ଯୋଗୁ ଦଳ ହାରିଛି ।
ସେହିପରି ସେ ବିଜୁ ଜନତା ଦଳର ବରିଷ୍ଠ ନେତାଙ୍କୁ ଉପେକ୍ଷା କରିବା କଥାକୁ ଖଣ୍ଡନ କରିଛନ୍ତି । ବାସ୍ତବରେ ସେମିତି କିଛି ହୋଇ ନ ଥିଲା । ପ୍ରତ୍ୟେକଥର ଓଡ଼ିଶା ଜନତାବାସୀ ଭୋଟ ଦେଇଥିଲେ । ଆମେ ୨୫ ବର୍ଷ ସରକାରରେ ଥିଲୁ । କିନ୍ତୁ କିଛି ଲୋକ ଗୋଟିଏ ସରକାରକୁ ୨୫ ବର୍ଷ ଦେଖିବା ପରେ ନୂତନତ୍ୱ ପାଇଁ ଆଉ ଗୋଟିଏ ନୂଆ ସରକାରକୁ ଦେଖିବାକୁ ଚାହିଁଥିଲେ । ସେଥିପାଇଁ ଦଳର କ୍ଷତି ହେଲା । ବରିଷ୍ଠ ନେତା ଦଳରେ ଅଛନ୍ତି। ଦଳର ପରାଜୟ ପରେ ସେମାନେ କ୍ଷୋଭ ପ୍ରକାଶ କରିଥିଲେ। କିନ୍ତୁ ସେ କଥା ବେଶୀ ଦିନ ରହିବ ନାହିଁ। ବରିଷ୍ଠ ନେତାମାନଙ୍କୁ ସ୍ୱତନ୍ତ୍ର ଭାବେ ଗୋଟିଏ କମିଟିରେ ରଖାଯାଇଛି ଓ ସେମାନେ ଦଳ କେମିତି ଆଗକୁ ଯିବ, ସେନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି।