ଭୁବନେଶ୍ୱର: ଭି କେ ପାଣ୍ଡିଆନଙ୍କୁ ନେଇ ବିଜୁ ଜନତା ଦଳ ଭାଗ ଭାଗ ହେବାକୁ ବସିଥିବାବେଳେ ପୁଣି ଥରେ ତାଙ୍କ ସପକ୍ଷରେ ବାହାରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳରେ ପାଣ୍ଡିଆନଙ୍କ ଭୂମିକାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ନବୀନ । କିନ୍ତୁ ସସ୍ମିତ ପାତ୍ରଙ୍କ ନିଷ୍ପତ୍ତିକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।
ଦୀର୍ଘ ଦିନର ତୁମ୍ବି ତୋଫାନ, ଘନ ଘନ ବୈଠକ ପରେ ଶେଷରେ ମୁହଁ ଖୋଲିଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ଦଳର ଅନେକ ନେତା ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ୍ କରୁଥିବାବେଳେ ସୁପ୍ରିମୋ କିନ୍ତୁ ପଦୁଟିଏ ବି ତାଙ୍କ ବିରୋଧରେ କହିନାହାନ୍ତି । ନବୀନ ଆଜି ସନ୍ଧ୍ୟାର ତାଙ୍କ ବାସଭବନରେ ଦୁଇଟି ନିର୍ଦ୍ଧିଷ୍ଟ ଜାତୀୟ ଗଣମାଧ୍ୟମକୁ ଡାକି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, କାର୍ତ୍ତିକେୟନ ପାଣ୍ଡିଆନ ଅତୀତରେ କେବଳ ରାଜ୍ୟ ନୁହେଁ ବରଂ ଦଳ ପାଇଁ ବହୁତ ଭଲ କାମ କରିଛନ୍ତି । ସେ ୧୦ ମାସ ପୂର୍ବରୁ ଦଳ ଛାଡ଼ି ସାରିଛନ୍ତି । ସେ ଦଳର କୌଣସି କାମରେ ସଂଶ୍ଳିଷ୍ଟ ନାହାଁନ୍ତି । ତାଙ୍କୁ ବଦନାମ କିମ୍ବା କୌଣସି ପ୍ରସଙ୍ଗ ପାଇଁ ଦୋଷ ନ ଦେବାକୁ କହିଛନ୍ତି ନବୀନ । ତେବେ ନବୀନଙ୍କ ଏଭଳି ପ୍ରତିକ୍ରିୟା ପରେ ଏବେ ରାଜନୀତି ଆହୁରି ତୀବ୍ର ଧରିଛି । ଦଳ ବହୁ ବରିଷ୍ଠ ନେତା ପାଣ୍ଡିଆନଙ୍କ ବିଷୟରେ କହୁଥିବାବେଳେ ନବୀନ କାହିଁକି ମୁହଁ ଖୋଲୁ ନାହାଁନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସେହିପରି ଦଳର ନେତାମାନେ ହୋଟେଲରେ ବୈଠକ କରିବାକୁ ନେଇ ନବୀନ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦଳ ନିଜର ଅଫିସ୍ ଅଛି ଶଙ୍ଖ ଭବନ । ଯାହାକି ବହୁତ ବଡ଼ ବିଲ୍ଡିଂ ଅଟେ । ତେଣୁ ସେଠାରେ ବୈଠକ କରିବା ଉଚିତ୍ ।
ଅନ୍ୟପକ୍ଷରେ ପ୍ରଭାତ ତ୍ରିପାଠୀଙ୍କ ଉପରେ ବର୍ଷିଛନ୍ତି ନବୀନ । କିଛି ବର୍ଷ ପୂର୍ବେ ପୂର୍ବତନ ବିଧାୟକ ତ୍ରିପାଠୀ ବିଜେଡ଼ିରୁ ବହିଷ୍କୃତ ହୋଇଛନ୍ତି । ଚିଟ୍ ଫଣ୍ଡ୍ ମାମଲାରେ ଜେଲ୍ ଯାଇ ସାରିଛନ୍ତି । ଦଳ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କ୍ଷୋଭର ସହିତ କହିଛନ୍ତି ନବୀନ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ବିଜେଡ଼ିର ନେତାମାନେ ଅନେକ ଅଲଗା ଅଲଗା ବୈଠକ କରିଛନ୍ତି । ଆଜି ଭୁବନେଶ୍ୱରରେ ଏକ ହୋଟେଲରେ ବହୁ ବରିଷ୍ଠ ନେତାମାନେ ମଧ୍ୟ ବୈଠକ କରିଥିଲେ । କିନ୍ତୁ ବୈଠକରେ କଣ ଆଲୋଚନା ହେଲା ସେ ନେଇ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ।