ନୂଆଦିଲ୍ଲୀ: ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ନେଇ ବଡ଼ ଘୋଷଣା କରିଛି ଡିଏମକେ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଡିଲିମିଟେସନ ଓ ମହିଳା ସଂରକ୍ଷଣ ବିଲ୍କୁ ଦଳ ସମର୍ଥନ ଜଣାଇଛି। ଏହି ନିଷ୍ପତ୍ତି ଜଣାଇବା ପାଇଁ ଡିଏମକେ ସାଂସଦଙ୍କ ଏକ ପ୍ରତିନିଧି ଦଳ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଡିଏମକେ ସାଂସଦ କନିମୋଝି କହିଛନ୍ତି, ଦଳ ଯେଉଁ ଦାବି ରଖିଥିଲା, ନୂଆ ପ୍ରସ୍ତାବରେ ସେଗୁଡ଼ିକୁ ସ୍ଥାନ ଦିଆଯାଇଛି। ତେଣୁ ବିଲ୍କୁ ସମର୍ଥନ କରିବାକୁ ଦଳ ନିଷ୍ପତ୍ତି ନେଇଛି।
୧୯୭୧ ଜନଗଣନା ଆଧାରରେ ଆସନ ବଣ୍ଟନ
କନିମୋଝିଙ୍କ କହିବା ଅନୁସାରେ, ଲୋକସଭା ଆସନ ବୃଦ୍ଧି ୧୯୭୧ ଜନଗଣନା ଆଧାରରେ କରିବାକୁ ଡିଏମକେ ଦାବି କରିଥିଲା। ଏହା ସହ ଆସନ ବଣ୍ଟନ ବ୍ୟବସ୍ଥାକୁ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ସ୍ଥିର ରଖିବାକୁ ମଧ୍ୟ ଦଳ ଦାବି କରିଥିଲା। ସରକାର ଏହି ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରିଥିବାରୁ ସମର୍ଥନ ଦିଆଯାଇଛି।
ତାମିଲନାଡୁର ଆସନ ୩୯ରୁ ୫୯କୁ ବଢ଼ିବ!
ପ୍ରସ୍ତାବିତ ବ୍ୟବସ୍ଥା ଲାଗୁ ହେଲେ ତାମିଲନାଡୁର ଲୋକସଭା ଆସନ ସଂଖ୍ୟା ୩୯ରୁ ବୃଦ୍ଧି ପାଇ ୫୯ ହୋଇପାରେ ବୋଲି କନିମୋଝି କହିଛନ୍ତି। ଏହା ଦ୍ୱାରା ରାଜ୍ୟର ସଂସଦୀୟ ପ୍ରତିନିଧିତ୍ୱ ସୁରକ୍ଷିତ ରହିବ ବୋଲି ଦଳ ଆଶା ରଖିଛି। ଡିଏମକେ ମୁଖ୍ୟ ଏମ୍.କେ. ଷ୍ଟାଲିନ ମଧ୍ୟ ଏହି ନିଷ୍ପତ୍ତିକୁ ଦଳର ଦାବି ଓ ସଂଘର୍ଷର ସଫଳତା ବୋଲି କହିଛନ୍ତି। ତାଙ୍କ ମତରେ, ଏହା କେବଳ ତାମିଲନାଡୁ ନୁହେଁ, ସମସ୍ତ ଦକ୍ଷିଣ ଭାରତୀୟ ରାଜ୍ୟ ପାଇଁ ଏକ ବଡ଼ ସଫଳତା।
ତେବେ ଅମିତ ଶାହଙ୍କ ସହ ଏହି ବୈଠକକୁ ରାଜନୈତିକ ମେଣ୍ଟ ଭାବେ ଦେଖିବା ଠିକ୍ ନୁହେଁ ବୋଲି କନିମୋଝି ସ୍ପଷ୍ଟ କରିଛନ୍ତି। କେବଳ ଦଳର ଆଭିମୁଖ୍ୟ ଜଣାଇବା ପାଇଁ ଗୃହମନ୍ତ୍ରୀଙ୍କୁ ଭେଟିଥିବା ସେ କହିଛନ୍ତି।