ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଭିବି ଜି-ରାମ-ଜି ଯୋଜନା ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ । ଶନିବାର ବସିଥିବା କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ୫ ଜାନୁୟାରୀରୁ "ମନରେଗା ବଞ୍ଚାଅ ଅଭିଯାନ" କରାଯିବ ବୋଲି ବୈଠକ ପରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ମନରେଗା ଯୋଜନା ବଦଳରେ କେନ୍ଦ୍ର ସରକାର ଆଣିଥିବା ଭିବି ଜି-ରାମ-ଜି ଯୋଜନାକୁ ନେଇ କଂଗ୍ରେସର ସିଡବ୍ଲ୍ୟୁସି ବୈଠକ ବସିଥିଲା । ବୈଠକ ପରେ ମଲ୍ଲିକାର୍ଜୁନ କହିଛନ୍ତି ଯେ ମନରେଗାକୁ ହଟାଇ ଭିବି ଜି-ରାମ-ଜି ଯୋଜନା ଆଣିବା ନିଷ୍ପତ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ । ଏହି ବୈଠକରେ ଶପଥ ନିଆଯାଇଛି ଯେ ଦଳ ଦେଶବ୍ୟାପୀ ଆନ୍ଦୋଳନ କରିବ । ମନରେଗା ଯୋଜନାକୁ ପ୍ରମୁଖ ମୁଦ୍ଦା କରି ସାରା ଦେଶରେ ବଡ଼ ଆନ୍ଦୋଳନ କରାଯିବ । ମନରେଗାକୁ ବଞ୍ଚାଇବାକୁ କଂଗ୍ରେସ ଦଳ ଅଗ୍ରଣୀ ଭୂମିକା ଗ୍ରହଣ କରି ସାରା ଦେଶରେ ୫ ଜାନୁୟାରୀରୁ "ମନରେଗା ବଞ୍ଚାଅ ଅଭିଯାନ" କରିବ । ଯେକୌଣସି ମୂଲ୍ୟରେ ଦଳ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତିକୁ ରକ୍ଷା କରାଯିବ । କଂଗ୍ରେସ କହିଛି, ମନରେଗା କେବଳ ଏକ ଯୋଜନା ନୁହେଁ ବରଂ ଭାରତୀୟ ସମ୍ବିଧାନ ଦ୍ୱାରା ଦିଆଯାଇଥିବା କାମର ଅଧିକାର । ଗାନ୍ଧୀଙ୍କ ନାମକୁ ହଟାଇବା ଏବଂ ଶ୍ରମିକ ଅଧିକାରୀ ଛିନ୍ନ କରିବାକୁ ହୋଇଥିବା ସମସ୍ତ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କରାଯିବ । ସେଥିପାଇଁ ଗାଁ ଗାଁରେ ଦଳ ଅଭିଯାନ କରିବ । ପୂର୍ବରୁ ଲୋକସଭାରେ ମଧ୍ୟ ରାହୁଲ ଗାନ୍ଧୀ ସ୍ୱର ଉତ୍ତୋଳନ କରିଥିଲେ । ବାହାରେ ମଧ୍ୟ ସ୍ୱର ଉତ୍ତୋଳନ ହୋଇଛି । ଏହି ନୂତନ ଆଇନକୁ ଫେରସ୍ତ ନେବାକୁ ଆନ୍ଦୋଳନ କରାଯିବ ।
ସେହିପରି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ ଆଣିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା କୌଣସି କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀଙ୍କ ପରାମର୍ଶରେ ମନରେଗାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ନିଷ୍ପତ୍ତି । ବର୍ତ୍ତମାନ ପ୍ରଶାସନ ୱାନ୍ ମ୍ୟାନ୍ ଶୋ ବା ଏକକ ଚରିତ୍ର ହୋଇଗଲାଣି ବୋଲି ରାହୁଲ କହିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ନିକଟରେ ଶେଷ ହୋଇଥିବା ଶୀତ ଅଧିବେଶନରେ କେନ୍ଦ୍ର ସରକାର ବିକଶିତ ଭାରତ- ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ) ବିଧେୟକକୁ ଆଗତ କରିଥିଲେ । ଏହା ଉଭୟ ଗୃହରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇସାରିଛି । ମନରେଗାରେ ୧୦୦ ଦିନର ନିଶ୍ଚିତ କର୍ମ ନିଯୁକ୍ତି ଥିବାବେଳେ ଜି-ରାମ୍-ଜିରେ ୧୨୫ ଦିନ କର୍ମ ନିଯୁକ୍ତି ରହିଛି । ତେବେ ଯୋଜନାରୁ ଗାନ୍ଧୀଜୀଙ୍କ ନାମ ଅପସାରଣ କରିବାକୁ ନେଇ କଂଗ୍ରେସ ପ୍ରସଙ୍ଗ କରିଛି ।