ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ମୋହନ ମାଝୀଙ୍କ ସରକାର ଏକ ବର୍ଷ ପୂରଣ କରିବ । ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଏକାକୀ ସରକାର ଗଢ଼ିଛି । ସଂକଳ୍ପ ପତ୍ରରେ ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲା ବିଜେପି । ତେବେ ଗତ ଏକ ବର୍ଷ ମଧ୍ୟରେ କେଉଁ କେଉଁ ପ୍ରତିଶ୍ରୁତି ଲୋକଙ୍କ ସରକାର ପୂରଣ କରିଛନ୍ତି ତାହାର ରିପୋର୍ଟ କାର୍ଡ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଶିଶୁ ବିକାଶ କ୍ଷେତ୍ରରେ ସଂକଳ୍ପ ପତ୍ରରେ ଦିଆଯାଇଥିବା ୨୧ଟି ପ୍ରତିଶ୍ରୁତିରୁ ଏକ ବର୍ଷ ମଧ୍ୟରେ ୧୧ଟି କାର୍ଯ୍ୟକ୍ଷମ ହୋଇଛି । ଏହା ସହିତ ୨୦୩୬ ଭିଜନ୍ ପାଇଁ ୩୬ଟି କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରାଯାଇଛି । ‘ବର୍ଷ ଏକ, ସଫଳତା’ ଅନେକ ବୋଲି ବାରମ୍ବାର ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ମୁଖ୍ୟମନ୍ତ୍ରୀ ୨୪ ବର୍ଷର ସରକାର ଉପରେ ମଧ୍ୟ ଖୁବ ବର୍ଷିଛନ୍ତି ।
ମଙ୍ଗଳବାର ଗୀତ ଗୋବିନ୍ଦ ସଦନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରିପୋର୍ଟ କାର୍ଡ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ପ୍ରଥମେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧ ବର୍ଷର ସଫଳତାକୁ ଉପସ୍ଥାପନ କରିଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଗେଇ ଚାଲିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଅର୍ପଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଗତ ବର୍ଷ ଜୁନ ୧୨ ତାରିଖରେ ଶପଥ ନେବାର ସ୍ୱଳ୍ପ ସମୟ ମଧ୍ୟରେ ୪ଟି ପ୍ରମୁଖ ନିଷ୍ପତ୍ତି ନେଇଥିଲୁ । ସୁଭଦ୍ରା ଯୋଜନା ଲାଗୁ କରିବା ସହିତ, ଧାନ କ୍ୱିଣ୍ଟାଲ୍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୮ ଶହ ଟଙ୍କା ବୃଦ୍ଧି, ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଏବଂ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଗଠନ କରିଥିଲୁ । ଶପଥ ନେବାରୁ ପରଦିନ ଶ୍ରୀମନ୍ଦିର ଚାରି ଦ୍ୱାରା ଖୋଲାଯାଇଥିଲା । ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଛୁ । ସେହିପରି ସମୃଦ୍ଧ କୃଷି ଯୋଜନାରେ ୩୭,୮୦୦ କୋଟିର ବଜେଟ୍ କରିଛୁ, ଯାହାକି ପୂର୍ବ ସରକାର କରି ନ ଥିଲେ । ଏପରିକି ଅଦିନିଆ ବର୍ଷା କ୍ଷୟକ୍ଷତିକୁ ରିଲିଫ୍ କୋର୍ଡରେ ଯୋଡ଼ି କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଉଛି । ସେହିପରି ଜାତୀୟ ଶିକ୍ଷା ନୀତି ଲାଗୁ କରି ଶିଶୁ ବାଟିକାର ଶୁଭାରମ୍ଭ କରାଯାଇଛି । ଦୀର୍ଘ ୬ ବର୍ଷ ପରେ କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି‘ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଗ୍ରହଣ କରୁଥିବା ସରକାର କେବେବି କୌଣସି ଅଧିକାରୀଙ୍କ ଛାଡ଼ିବେ ନାହିଁ ବୋଲି ପୁଣି ଥରେ ଚେତାଇ ଦେଇଛନ୍ତି ମୋହନ ମାଝୀ । ପିଅନଠାରୁ ଆରମ୍ଭ କରି ଆଇଏଏସ୍ କାହାକୁ ଛଡ଼ା ଯାଉ ନାହିଁ । ଦୁର୍ନୀତି କଲେ ଜେଲ ଯିବାକୁ ପଡ଼ିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଲୋକଙ୍କ ଦୁଆରକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ
ସେହିପରି ଦୀର୍ଘ ବର୍ଷ ଧରି ବନ୍ଦ ପଡ଼ିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ଜନତାଙ୍କ ପାଇଁ ଖୋଲିଛି । ଆଜି ମୁଖ୍ୟମନ୍ତ୍ରୀ ଲୋକଙ୍କ ଦୁଆର ମୁହଁକୁ ଯାଉଛନ୍ତି ବୋଲି କହିଛନ୍ତି ମୋହନ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜରିଆରେ ଲୋକଙ୍କ ସହ ଯୋଡ଼ି ହୋଇଛୁ । ଅଭିଯୋଗ ଶୁଣାଣି କେବଳ ଭୁବନେଶ୍ୱର ସହରରେ ସୀମିତ ନାହିଁ ବରଂ ଜିଲ୍ଲାବ୍ୟାପୀ କରାଯାଇଛି ।
ଚଳିତ ବର୍ଷ ପୂରଣ ହେବ ୪୦ ହଜାର ପଦବୀ
ସେହିପରି ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାରୋଟି ବର୍ଗଙ୍କୁ ବିଶେଷ ଧ୍ୟାନ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହି ଚାରୋଟି ବର୍ଗ ହେଲେ ଗରିବ, ଅନ୍ନଦାତା, ଯୁବ ବର୍ଗ ଓ ମହିଳାଙ୍କ ଗୁରୁତ୍ୱ ଦିଆଯାଇଛି । ବିଗତ ଏକ ବର୍ଷ ମଧ୍ୟରେ ୨୮, ୦୦୦ ସରକାରୀ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିପରି ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ପଦବୀ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହାଦ୍ୱାରା ସଂକଳ୍ପ ଦିଆଯାଇଥିବା ଦେଢ଼ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ପୂରଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପରିଶେଷରେ ସଂକଳ୍ପ ପତ୍ରରେ ଦିଆଯାଇଥିବା ୨୧ଟି ପ୍ରତିଶ୍ରୁତିରୁ ଏକ ବର୍ଷ ମଧ୍ୟରେ ୧୧ଟି କାର୍ଯ୍ୟକ୍ଷମ ହୋଇଛି । ଏହା ସହିତ ୨୦୩୬ ଭିଜନ୍ ପାଇଁ ୩୬ଟି କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରାଯାଇଛି । ‘ବର୍ଷ ଏକ, ସଫଳତା ଅନେକ’ ବୋଲି ବାରମ୍ବାର ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ଯେପରି ସବୁ ରାଜ୍ୟମାନଙ୍କ ପାଇଁ ଆଦର୍ଶ ହେବ ସେଥିପାଇଁ ଆମେ ପରିଶ୍ରମ କରିଚାଲିଛୁ। ସେ ପରିଶ୍ରମର ସୁଫଳ ମିଳିବା ଆରମ୍ଭ କରିଛି। ଓଡିଶା ଧିରେ ଧିରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରି ଚାଲିଛି । ଗୁଡ୍ ଗଭର୍ଣ୍ଣାସ୍ ରେ ଓଡିଶା ଏବେ ସାରା ଦେଶରେ ଏକ ମଡେଲ୍। ଗୋଟିଏ ବର୍ଷରେ ଆମେ ଅନେକ ସଫଳତା ପାଇଛୁ। ‘ବର୍ଷ ଏକ, ସଫଳତା ଅନେକ’।
ଗଣମାଧ୍ୟମକୁ ଧନ୍ୟବାଦ
ସେହିପରି ମୁଖ୍ୟମନ୍ତ୍ରୀ ରାଜ୍ୟ ପ୍ରତ୍ୟେକ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବା, ଗଠନ ମୂଳକ ସମାଲୋଚନା କରିବା ଏବଂ ବିଭିନ୍ନ ପ୍ରସ୍ତାବ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ।
ମୋହନ ସରକାରଙ୍କ ରିପୋର୍ଟ କାର୍ଡ
-
ମହାପ୍ରଭୁଙ୍କ ଆର୍ଶୀବାଦରେ ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛୁ
-
ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ସଫଳତାର ଶୀର୍ଷରେ ପହଁଚିଛୁ
-
ଆସନ୍ତା ୨୦ ତାରିଖରେ ଷଷ୍ଠ ଥର ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ
-
ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
-
ଗତ ବର୍ଷ ଜୁନ ୧୨ ତାରିଖ ୪ଟି ପ୍ରମୁଖ ନିଷ୍ପତ୍ତି ନେଇଥିଲୁ
-
ସୁଭଦ୍ରା ଯୋଜନା ଲାଗୁ କଲୁ
-
ଧାନ କ୍ୱିଣ୍ଟାଲ୍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୮ ଶହ ଟଙ୍କା ବୃଦ୍ଧି
-
ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଥିଲୁ, ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଗଠନ
-
୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ଓଡ଼ିଶା ଭାରତରେ ଦ୍ୱିତୀୟରେ ଅଛି
-
ସମୃଦ୍ଧ କୃଷି ଯୋଜନାରେ ୩୭,୮୦୦ କୋଟିର ବଜେଟ୍ କରିଛୁ
-
ଅଦିନିଆ ବର୍ଷା କ୍ଷୟକ୍ଷତିକୁ ରିଲିଫ୍ କୋର୍ଡରେ ଯୋଡ଼ା ଗଲା
-
ଜାତୀୟ ଶିକ୍ଷା ନୀତି ଓ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି
-
ଦୁର୍ନୀତି ଗ୍ରସ୍ତଙ୍କ ଅଧିକାରୀଙ୍କୁ ଛଡ଼ା ଯାଉ ନାହିଁ । ଦୁର୍ନୀତି କଲେ, ଜେଲ ଯିବ
-
ପିଅନଠାରୁ ଆରମ୍ଭ କରି ଆଏଏସ୍ କାହାକୁ ଛଡ଼ା ଯିବା ନାହିଁ
-
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜରିଆରେ ଲୋକଙ୍କ ସହ ଯୋଡ଼ି ହୋଇଛୁ
-
ଗରିବ, ଅନ୍ନଦାତା, ଯୁବ ବର୍ଗ ଓ ମହିଳାଙ୍କ ଗୁରୁତ୍ୱ ଦିଆଯାଇଛି
-
ସଂକଳ୍ପ ପତ୍ରରେ ଦିଆଯାଇଥିବା ୨୧ଟି ପ୍ରତିଶ୍ରୁତିରୁ ୧୧ଟି କାର୍ଯ୍ୟକ୍ଷମ ହୋଇଛି
-
ଏକ ବର୍ଷରେ ୨୮ ହଜାର ଲୋକଙ୍କୁ ନିଯୁକ୍ତି ମିଳିଛି
-
୨୦୩୬ ପାଇଁ ୩୬ଟି କାର୍ଯ୍ୟକ୍ରମ ହାତକୁ ନେଇଛୁ
-
ବର୍ଷ ଏକ ସଫଳତା ଅନେକ