ଭୁବନେଶ୍ୱର: ୱକଫ୍ ବିଲ୍ ସପକ୍ଷରେ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ଏବେ ବିଜୁ ଜନତା ଦଳ ଦୁଇ ଭାଗ ହୋଇଯାଇଛି । ଗୋଟିଏ ପାର୍ଶ୍ୱରେ ପାଣ୍ଡିଆନ ସପକ୍ଷବାଦୀ ରହିଥିବାବେଳେ ଅନ୍ୟ ପାର୍ଶ୍ୱରେ ବିପକ୍ଷବାଦୀ ରହିଛନ୍ତି । ଏହି ସମାଲୋଚନାକୁ ଖୋରାକ ଯୋଗାଇଛି ଆଉ ଏକ ବୈଠକ । ବିଜେଡ଼ିର ବହୁ ନେତା ଭୁବନେଶ୍ୱର ଏକ ହୋଟେଲରେ ମେଳି ହୋଇଥିବା ଦେଖିବାକୁ ମିଳିଛି । ପଟିଆର କ୍ରିଷ୍ଟାଲ୍ କ୍ରାଉନ ହୋଟେଲରେ ବିଜେଡ଼ି ବରିଷ୍ଠ ନେତାମାନେ ପହଁଚିଛନ୍ତି । ଏଥିରେ ରହିଛନ୍ତି ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓ, ନୃସିଂହ ସାହୁ, ପ୍ରସନ୍ନ ଆଚାର୍ଯ୍ୟ, ଭୂପିନ୍ଦର ସିଂହ, ରୁଦ୍ର ମହାରଥୀ, ସରସ୍ୱତୀ ହେମ୍ବ୍ରମ୍ ଏବଂ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଅଛନ୍ତି । ଏହି ବୈଠକ ବିଜେଡ଼ି ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରେ ଆଲୋଚନା ହୋଇଛି ।
ଗତକାଲି ନବୀନ ନିବାସରେ ମଧ୍ୟ ବହୁ ବରିଷ୍ଠ ବୈଠକ କରିଥିଲେ । କିନ୍ତୁ ସୁପ୍ରିମୋଙ୍କ ସହିତ କଣ ଆଲୋଚନା ହେଲା ସେ ନେଇ କିଛି ପ୍ରତିକ୍ରିୟା ରଖି ନ ଥିଲେ । ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ବାସଭବନରେ ବହୁ ଯୁବ ନେତା ମେଳି ବାନ୍ଧି ଥିଲେ ।
ୱାକଫ ବିଲ୍ ଭୋଟିଂ ପୂର୍ବରୁ ଦଳର ନିଷ୍ପତ୍ତି ବଦଳିବା ନେଇ ସାଂସଦ ଦେବାଶିଷ ସାମନ୍ତରାୟ ସିଧାସଳଖ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ । କିନ୍ତୁ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଥିଲେ ୪ ଜଣ ସାଂସଦ । ଯାହାକୁ ନେଇ ବର୍ଷିଥିଲେ ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା । ପଦ୍ମନାଭ କହିଛନ୍ତି, ଯାହା ସବୁ ହେଉଛି ତାହା ଦଳ ପାଇଁ କ୍ଷତିକାରକ । ଏହା ଉପରେ ଶୀଘ୍ରେ ଯବନିକା ପଡିବା ଉଚିତ୍ । ପାଣ୍ଡିଆନ ସନ୍ନ୍ୟାସ ନେଇଛନ୍ତି, ତାଙ୍କ ଚର୍ଚ୍ଚା କରି ଦଳର କ୍ଷତି କରୁଛନ୍ତି । ସଭାପତି ନବୀନ ପଟ୍ଟନାୟକ ଶୀଘ୍ର ଏହା ଉପରେ ଯବନିକା ପକାଇବା ଉଚିତ୍ । ଅଧିକ ବିଳମ୍ବ କରିବା ଠିକ୍ ନୁହେଁ । ଯେତେ ବିଳମ୍ବ ହେବ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିବ ।