ପୁରୀ: ଆଜି ଟ୍ୱିନ୍ ସିଟି ସମେତ ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବିଜୁଳି, ଘଡଘଡି ହୋଇଥିଲା। ଏହି ସମୟରେ ଗୋଟେ ଅଘଟଣ ପୁରୀ ଜିଲ୍ଲା ବଳଙ୍ଗା ଥାନା କେତକୀ ପାଟଣା ପଦ୍ମପୁର ଗାଁରେ ଘଟିଛି । ବଜ୍ରାଘାତରେ ପଦ୍ମପୁର ଗାଁରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଦୀପ୍ତି ରଞ୍ଜନ ବାରିକ ।
ସୂଚନା ଅନୁସାରେ, ଦୀପ୍ତି ରଞ୍ଜନ ବାରିକ ବିଲରେ କାମ କରୁଥିବା ସମୟରେ ପ୍ରବଳ ବର୍ଷା ସହ ବିଜୁଳି, ଘଡଘଡି ହୋଇଥିଲା। ଫଳରେ ବଜ୍ରାଘାତରେ ତାଙ୍କର ଜୀବନ ଚାଲିଯାଇଛି । ଏନେଇ ସ୍ଥାନୀୟ ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ଆଗାମୀ ତିନି ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ମିଳିଛି । ପାଣିପାଗ ବିଭାଗ ଯାହା ପୂର୍ବନୁମାନ ଅନୁସାରେ ଖୋର୍ଦ୍ଧା, କଟକ ଓ ଢେଙ୍କାନାଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବ ଲାଗି ରହିବ । ୨୦ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ ଏବଂ ତାତି ବଢିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।