କେନ୍ଦ୍ରାପଡ଼ା: ଶୁକ୍ରବାର ରାଜ୍ୟ ରାଜନୀତି ପାଣିପାଗ ସରଗରମ ହୋଇଛି । ବିଜେଡ଼ିର ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ପଦ୍ମ ଗାଡ଼ିଆରେ ପାଦ ରଖିଛନ୍ତି । ବିଜେପିରେ ମିଶୁ ମିଶୁ ବିଜେଡ଼ିର ଗୋଟି ଗୋଟି କରି ଗୁମର ଖୋଲିଛନ୍ତି । ତେବେ ଏହାରି ମଧ୍ୟର ତାଙ୍କୁ ବିଜେଡ଼ିରୁ ବହିଷ୍କାର ପ୍ରସଙ୍ଗକୁ ହାସ୍ୟାସ୍ପଦ ବୋଲି କହିଛନ୍ତି ।
ସୁଜିତ କୁମାର କହିଛନ୍ତି ଯେ ସେ ପ୍ରଥମେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ଏହା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ନେଇ ପ୍ରେସ ବିବୃତ୍ତି ପ୍ରକାଶ ପାଇଥିଲା, ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି । ତେବେ ତାଙ୍କ ପାଖରେ ପ୍ରମାଣ ଅଛି ବୋଲି ସେ କହିଛନ୍ତି । ତେବେ ଅନ୍ୟପକ୍ଷରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ବିକାଶ ଧାରା ବିଜେପିରେ ମିଶିବା ପାଇଁ ତାଙ୍କୁ ଅନୁପ୍ରାଣିତ କରିଥିଲା । ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଏବଂ ରାଜ୍ୟକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ବିଜେପିର ଚିନ୍ତାଧାରା ତାଙ୍କ ମନ ଛୁଇଁ ଥିଲା । ମାତ୍ର ବିଜେଡ଼ିରେ ଅନେକ ଦୁର୍ନୀତି ଚାଲିଥିଲା । ତେଣୁ ତାଙ୍କ ପାଇଁ ପାର୍ଟି ନୁହେଁ ବରଂ ମାଟି ବଡ଼ ବୋଲି ସେ କହିଛନ୍ତି ।
ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ବିଜେପିରେ ଦଳରେ ଯୋଗଦେଇଥିବାରୁ ସୁଜିତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାବାସୀ ବିଶେଷ ଭାବରେ କଳାହାଣ୍ଡିର ବିକାଶ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଗରିବ କଲ୍ୟାଣ ସହିତ ‘ବିକଶିତ ଓଡ଼ିଶା’ ଗଠନରେ ସେ ଯୋଗଦାନ ରଖିବେ ବୋଲି ଧର୍ମେନ୍ଦ୍ର ଆଶା ପ୍ରକଟ କରିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ସୁଜିତ କୁମାର ବିଜେଡି ଦଳ ମଧ୍ୟ ଛାଡିଥିଲେ । ଏହା ପରେ ସେ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବରିଷ୍ଠ ନେତା ଅରୁଣ ସିଂଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ତାଙ୍କର ଏହି ପଦକ୍ଷେପ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁଜିତ କୁମାରଙ୍କୁ ବିଜେଡିରୁ ବହିଷ୍କାର କରିଛନ୍ତି ।