ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଘଟିଥିବା 'ମବ୍ ଲିଞ୍ଚିଂ' ହତ୍ୟା ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟର ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ ସୋସିଆଲ ମିଡିଆ 'X' ମାଧ୍ୟମରେ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି।
ନବୀନ ପଟ୍ଟନାୟକ ତାଙ୍କ ପୋଷ୍ଟରେ ସରକାରଙ୍କୁ ଘେରିବା ସହ କହିଛନ୍ତି, ରାଜଧାନୀ ନିକଟରେ ଦିନଦ୍ୱିପ୍ରହରରେ ଜଣେ ଯୁବକକୁ ପିଟିପିଟି ମାରିଦେବା ଅତ୍ୟନ୍ତ ବର୍ବର। ଏତେ ବଡ଼ ଜଘନ୍ୟ ଅପରାଧ ସତ୍ତ୍ୱେ ସରକାରଙ୍କ ନୀରବତା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରୁଛି।ଯଦି ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟୁଛି, ତେବେ ସାଧାରଣ ଲୋକ ନିଜ ସୁରକ୍ଷା ପାଇଁ କାହା ପାଖକୁ ଯିବେ? ପୋଲିସ ପ୍ରଶାସନ ଓ ସରକାର ଅପରାଧୀଙ୍କ ଆଗରେ ଏତେ ଅସହାୟ କାହିଁକି ବୋଲି ସେ ପଚାରିଛନ୍ତି।
ବନେଶ୍ୱର ଉପକଣ୍ଠରେ ଯଦି ଆଇନଶୃଙ୍ଖଳା ଏମିତି, ତେବେ ସମଗ୍ର ରାଜ୍ୟର ସ୍ଥିତି କ’ଣ ଥିବ ତାହା ସହଜରେ ଅନୁମାନ କରାଯାଇପାରେ।ସରକାର କେବଳ ବଡ଼ ବଡ଼ ଭାଷଣ କିମ୍ବା ମିଥ୍ୟା ପ୍ରଚାରରେ ଚାଲେ ନାହିଁ, ବରଂ ଲୋକଙ୍କୁ ସୁରକ୍ଷା ଦେବା ସରକାରଙ୍କ ମୂଳ ଦାୟିତ୍ୱ।
କ'ଣ ଥିଲା ବାଲିଅନ୍ତା ଘଟଣା?
ଘଟଣାଟି ଘଟିଥିଲା ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବ୍ରିଜ ନିକଟରେ। ଜଣେ ଜିଆରପି (GRP) କନେଷ୍ଟବଳ ଏବଂ ତାଙ୍କ ସହଯୋଗୀ ଦୁଇଜଣ ମହିଳାଙ୍କୁ ଅସଦାଚରଣ କରିବା ସହ ଗାଡ଼ିରେ ଘୋଷାରି ନେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ।ଏଥିରେ ଉତ୍ତ୍ୟକ୍ତ ହୋଇ ଶତାଧିକ ଲୋକ ସେହି ଦୁଇ ଯୁବକଙ୍କୁ ବାଉଁଶ ଓ ଠେଙ୍ଗାରେ ନିର୍ମମ ଭାବେ ପିଟିଥିଲେ। ପୋଲିସ ଉପସ୍ଥିତିରେ ହିଁ ଏହି ଆକ୍ରମଣ ହୋଇଥିବା ଚର୍ଚ୍ଚା ହେଉଛି। ଗୁରୁତର ଅବସ୍ଥାରେ କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟାନୁଷ୍ଠାନ
ନବୀନଙ୍କ ସମାଲୋଚନା ଓ ଲୋକଙ୍କ ଆକ୍ରୋଶ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାର ଗୁରୁତ୍ୱକୁ ବୁଝି ତୁରନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ସହ କଥା ହୋଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଏପର୍ଯ୍ୟନ୍ତ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, "ମବ୍ ଲିଞ୍ଚିଂ" କିମ୍ବା ଆଇନକୁ ହାତକୁ ନେବା ଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ। ମହିଳା ଆୟୋଗର ଅଧ୍ୟକ୍ଷାଙ୍କୁ ମଧ୍ୟ ପୀଡ଼ିତା ମହିଳାଙ୍କୁ ଭେଟି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।