ଭୁୁବନେଶ୍ୱର: ଓଡିଶା ବିଜେପିର ରାଜ୍ୟ ସଭାପତି କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ଏହା ମଧ୍ୟରେ ୫ ଦିନିଆ ଓଡିଶା ଗସ୍ତରେ ପହଞ୍ଚିଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ପ୍ରମୁଖ ମୋହନ ଭାଗବତ । ଏହି ଗସ୍ତରେ ସେ ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା ପୂର୍ବରୁ ତାଙ୍କର ଏହି ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରିଛି ।
ସମଗ୍ର ଦେଶରେ ବିଜେପିର ପଦାଧିକାରୀ ନିର୍ବାଚନ ପ୍ରକ୍ରିୟା ଚାଲିଛି । ଅନେକ ରାଜ୍ୟରେ ଏହାର ପ୍ରକ୍ରିୟା ବି ସରିଲାଣି । ତେବେ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପି ସଭାପତି ଚୟନ କରାଯିବ ବୋଲି କୁହାଯାଉଛି । ଗୁରୁବାର ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ କହିଛନ୍ତି ଯେ, ଫେବୃଆରୀ ସୁଦ୍ଧା ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିବ । ନିକଟରେ ବିଜେପି ପ୍ରତି ରାଜ୍ୟର ସାଂଗଠନିକ ନିର୍ବାଚନ ପାଇଁ ନିଜର ନିର୍ବାଚନ ଅଧିକାରୀ ନିଯୁକ୍ତ କରିଛି ।
ଏ ପର୍ଯ୍ୟନ୍ତ ବିଜେପିର ୧୫ରୁ ଅଧିକ ସାଂଗଠନିକ ଜିଲ୍ଲା ସଭାପତି ଚୟନ ସରିଛି । ଏବେ ଆଉ ୧୪ଟି ଜିଲ୍ଲାରେ ସଭାପତି ନାଁ ଘୋଷଣା ବାକି ରହିଛି । ଏହା ପରେ ରାଜ୍ୟ ବିଜେପି ସଭାପତି ଚୟନ କରାଯିବ ବୋଲି କନ୍ଧମାଳ ସାଂସଦ ତଥା ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ସମୟରେ ମୋହନ ଭାଗବତଙ୍କ ଓଡିଶା ଗସ୍ତ ରାଜ୍ୟ ବିଜେପିର ସାଂଗଠନିକ ନିର୍ବାଚନ ଖବରକୁ ଆହୁରି ସଗଗରମ କରିଛି ।
ଇର୍ତ୍ତମାନ ରାଜ୍ୟ ବିଜେପିର ସଭାପତି ମନମୋହନ ସାମଲ ଅଛନ୍ତି । ତାଙ୍କ ନେତୃତ୍ୱରେ ଓଡିଶାରେ ବିଜେପି ପ୍ରଥମ ଥର ସରକାର ଗଢି ପାରିଛି । ନିଜ ନିର୍ବାଚନ ମଣ୍ଡଳୀରେ ଶ୍ରୀଯୁକ୍ତ ସାମଲ ହାରି ଥିଲେ ହେଁ ଦଳ ବିଜୟରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।