ନୂଆଦିଲ୍ଲୀ: ୧ ଫେବୃୟାରୀରେ ଦେଶର ସାଧାରଣ ବଜେଟ୍ ( ୟୁନିଅନ ବଜେଟ୍ ୨୦୨୫) ଆରମ୍ଭ ହେବାକୁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସିତାରମର ସଂସଦରେ ବଜେଟ୍ ଉପସ୍ଥାପନ କରିବେ । ତେବେ ବଜେଟ୍ ପୂର୍ବରୁ ବଜେଟ୍ ସମ୍ବନ୍ଧୀୟ କିଛି ମଜାଦାର ଘଟଣା ସମ୍ପର୍କରେ ଆସନ୍ତୁ ଜାଣିବା ।
(୧) ହାଲାୱା ସେରିମନୀ: ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ପ୍ରଥମେ ଅର୍ଥ ମନ୍ତ୍ରାଣାଳୟରେ ହାଲୱା ବାଣ୍ଟିଥାନ୍ତି । ଏହି ପରମ୍ପରା ଆମ ଦେଶରେ ଦୀର୍ଘ ସମୟରୁ ପ୍ରଚଳିତ ହେଉଛି । ଏବେ ବି ସରକାର ଏହି ପରମ୍ପରାକୁ ପାଳନ କରୁଛନ୍ତି । ପ୍ରଥମେ ମନ୍ତ୍ରଣାଳୟ ଭିତରେ ହାଲୱା ପ୍ରସ୍ତୁତ କରି ସେ ସବୁକୁ କର୍ମଚାରୀଙ୍କ ମଧ୍ୟରେ ବଣ୍ଟାଯାଇଥାଏ । ତେବେ ପ୍ରତି ଶୁଭ କାମ କରିବା ପୂର୍ବରୁ ଲୋକମାନେ ପ୍ରଥମେ ମିଠା ବଣ୍ଟିଥାନ୍ତି । ଏହି କ୍ରମରେ ଦେଶର ବି ପ୍ରତି କାମ କରିବା ପୂର୍ବରୁ ମିଠା ବାଣ୍ଟିବା ଶୁଭ ବୋଲି ଧରାଯାଏ । ସେଥିପାଇଁ ବଜେଟ୍ ଉପସ୍ଥାପନା ପୂର୍ବରୁ ହାଲୱା ବଣ୍ଟାଯିବାର ପରାମ୍ପରା ରହିଛି ।
(୨) ଲିକ୍ ନ ହେବା ପାଇଁ ହୁଏ ଲକ୍ଡାଉନ୍: ୟୁନିଅନ ବଜେଟକୁ କକ୍ଷା ସୁରକ୍ଷା ମଧ୍ୟରେ ପ୍ରସ୍ତୁତ କରାଯାଏ ଏବଂ ବଜେଟ୍ ଉପସ୍ଥାପନ ହେବାର ୧୦ ଦିନ ପୂର୍ବରୁ ଏଥିରେ ସାମିଲ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଲକଡାଉନ କରି ରଖାଯାଏ । ଏହି ସମୟରେ କର୍ମଚାରୀ ଓ ଅଧିକାରୀମାନେ କାହାରି ସଂସ୍ପର୍ଶରେ ଆସି ନ ଥାନ୍ତି । ଏପରିକି ପରିବାର ଠୁ ବି ସେମାନଙ୍କୁ ଦୂରରେ ରଖାଯାଏ । ଏହା ପଛରେ ବି ଏକ କାରଣ ରହିଛି । ୧୯୫୦ ମସିହାରେ ସେତେବେଳେ ଦେଶରେ ଅର୍ଥମନ୍ତ୍ରୀ ଥିଲେ ଜର୍ନ ମଥାଇ, ସେ ସମୟରେ ବଜେଟ୍ ପ୍ରିଂଟିଙ୍ଗ ବେଳେ ଏହା ଲିକ୍ ହୋଇଯାଇଥିଲା । ସେବେ ଠୁ ବଜେଟ୍ କଡ଼ା ସୁରକ୍ଷାରେ ପ୍ରସ୍ତୁତ ହେଉଛି । ଲିକ୍ ଯେଭଳି ନ ହେବ ସେଥିପାଇଁ କର୍ମଚାରୀଙ୍କୁ ଲକଡାଉନ କରି ରଖାଯାଇଥାଏ ।
(୩) ଆଗରୁ କେବଳ ଇଂରାଜୀରେ ଉପସ୍ଥାପନ ହେଉଥିଲା ବଜେଟ୍: ବଜେଟ୍ ସହ ଜଡିତ ଆଉ ଏକ କଥା ହେଉଛି, ପୂର୍ବରୁ ଏହା କେବଳ ଇଂରାଜୀରେ ଆଗତ କରାଯାଉଥିଲା । ୧୯୫୫ ମସିହା ଯାଏଁ କେନ୍ଦ୍ର ୟୁନିଅନ ବଜେଟ୍ କେବଳ ଇଂରାଜୀ ଭାଷାରେ ହିଁ ଉପସ୍ଥାପନ କରାଯାଉଥିଲା । କିନ୍ତୁ ଏହାପରେ ଦେଶର ବଜେଟ୍ ଇଂରାଜୀ ସହ ହିନ୍ଦୀ ଭାଷାରେ ବି ଉପସ୍ଥାପନ କରାଗଲା ।
(୪) ଭାରତର ପ୍ରଥମ ବଜେଟ୍: ବ୍ରିଟିଶ ସମୟରେ ଭାରତର ପ୍ରଥମ ବଜେଟ୍ ଉପସ୍ଥାପନ କରାଯାଇଥିଲା । ୧୮୬୦ ମସିହା ୭ ଅପ୍ରିଲରେ ବ୍ରିଟିଶ ସରକାରଙ୍କ ଅର୍ଥମନ୍ତ୍ରୀ ଥିବା ଜେମସ୍ ୱିଲସନ୍ ବଜେଟ୍ ଆଗତ କରିଥିଲେ । ହେଲେ ଆପଣ ଜାଣନ୍ତି କି ଇଂରାଜୀଙ୍କ ଠାରୁ ସ୍ୱାଧିନତା ପାଇବା ପରେ ଦେଶର ପ୍ରଥମ ବଜେଟ୍ କିଏ ଓ କେବେ ଉପସ୍ଥାପନ କରିଥିଲେ? ଏହାର ଉତ୍ତର ହେଉଛି ୧୯୪୭ ମସିହାରେ ଆରକେ ଶାନମୁଖମ୍ ଚେଟ୍ଟୀ ଏହାକୁ ଉପସ୍ଥାପନ କରିଥିଲେ, ଏହା ଥିଲା ଏକ ମଧ୍ୟବର୍ତ୍ତୀ ବଜେଟ୍ ।
(୫) ବଜେଟ୍ ପୂର୍ବରୁ ଇକୋନୋମିକ୍ ସର୍ଭେ: ଚଳିତ ବର୍ଷ ୧ ଫେବୃୟାରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ଦ୍ୱାରା ସଂସଦରେ ଉପସ୍ଥାପନ ହେବ ବଜେଟ୍ । ହେଲେ ଏହାର ଠିକ୍ ଗୋଟେ ଦିନ ପୂର୍ବରୁ ଇକୋନୋମିକ୍ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ । ଯାହା ଦେଶ ପାଇଁ ଅତ୍ୟେନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଇକୋନୋମିକ୍ ସର୍ଭେ ରିପୋର୍ଟ ପ୍ରସ୍ତୁତ ହେବା ପରେ ଏହା ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ କରାଯାଏ । ଏହାର ଦିନକ ପରେ ସଂସଦରେ ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରାଯାଇଥାଏ । ତେବେ ଦେଶର ପ୍ରଥମ ଇକୋନୋମିକ୍ ସର୍ଭେ ୧୯୫୦-୫୧ ଆର୍ଥିକ ବର୍ଷରେ ଉପସ୍ଥାପନ କରାଯାଇଥିଲା । ସେବେଠୁ ଇକୋନୋମିକ୍ ସର୍ଭେ ରିପୋର୍ଟ ସାଧାରଣ ବଜେଟର ଏକ ଅଂଶ ପାଲଟିଛି ।