ନୂଆଦିଲ୍ଲୀ: ନେତାମାନେ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ପୂରଣ କରନ୍ତି ନାହିଁ । ଅରବିନ୍ଦ କେଜ୍ରିୱାଲ ମଧ୍ୟ ପ୍ରତିଶ୍ରୁତି ଦିଅନ୍ତି ପୂରଣ କରନ୍ତି ନାହିଁ । ଏହା ପରେ ପୁଣି ମିଛର ପେଡ଼ି ଧରି ଆସନ୍ତି । ମୁଁ ମୋ ରାଜନୈତିକ ଜୀବନରେ ଏତେ ଦୃଢ଼ତାର ସହିତ ମିଛ କହୁଥିବା ବ୍ୟକ୍ତିଙ୍କୁ ଦେଖି ନାହିଁ । ଆଜି କେଜ୍ରିୱାଲଙ୍କ ମିଛର ପେଡ଼ି ଖୋଲିଦେଇଚନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ଦିଲ୍ଲୀ ନିର୍ବାଚନର ବିଜେପି ଷ୍ଟାର ପ୍ରଚାରକ ଅମିତ ଶାହା ।
ଦିଲ୍ଲୀ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ତାର ତୃତୀୟ ପର୍ଯ୍ୟାୟ ସଂକଳ୍ପ ପତ୍ର ଜାରି କରିଛି । ଷ୍ଟାର୍ ପ୍ରଚାରକ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ସଂକଳ୍ପ ପତ୍ର ଘୋଷଣା କରିଛନ୍ତି । ଆଜିର ସଂକଳ୍ପ ପତ୍ର ଦିଲ୍ଲୀର ସର୍ବାଙ୍ଗୀନ ବିକାଶ, ଯୁବ ପୀଢ଼ି, ଶ୍ରମିକ ଆଦି ଉପରେ ଗୁରୁତ୍ୱ ଦିଆଯାଇଛି । ବିଜେପି ପ୍ରତିଶ୍ରୁତି ଦେଇଛି ଯେ ଶ୍ରମିକମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି ପ୍ରଦାନ କରାଯିବା ସହିତ ୫୦ ହଜାର ଯୁବକଙ୍କ ପାଇଁ ଖୋଲିବ ସରକାରୀ ଚାକିରିର ସୁଯୋଗ । ଆଗାମୀ ୫ ବର୍ଷ ମଧ୍ୟରେ ୨୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ବନ୍ଦ ହୋଇଯାଇଥିବା ୧୩ ହଜାର ଦୋକାନକୁ ପୁଣି ଥରେ ଖୋଲାଯିବ । ଅଟଳ କ୍ୟାଣ୍ଟିନରେ ୫ ଟଙ୍କାରେ ମିଳିବ ଭୋଜନ । ୧୭୦୦ ଅନଧିକୃତ କଲୋନୀଗୁଡ଼ିକୁ ସ୍ଥାୟୀ ମାଲିକାନା ପ୍ରଦାନ କରାଯିବ ।
ସେହିପରି ସଂକଳ୍ପ ପତ୍ରରେ ଯମୁନା ନଦୀରୁ ପ୍ରଦୂଷଣକୁ ଗମ୍ଭୀରତାର ସହିତ ନେଇଛି ଦଳ । ସରକାର ଆସିଲେ ଗୁଜୁରାଟର ସାବରମତୀ ରିଭର୍ ଫ୍ରଣ୍ଟ୍ ଭଳି ଯମୁନାର ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯିବ । ୩ ବର୍ଷ ମଧ୍ୟରେ ଯମୁନା ନଦୀର ପାଣି ପ୍ରଦୂଷଣ ମୁକ୍ତ କରାଯିବ । ଆଗାମୀ ୫ ବର୍ଷ ମଧ୍ୟରେ ଦିଲ୍ଲୀର ସମସ୍ୟା ଦୂର କରିବାକୁ ଦଳ ପ୍ରତିଶ୍ରୁତି ଦେଇଛି । ଏହା ସହିତ ଦିଲ୍ଲୀ, ପଞ୍ଜାବ ଓ ହରିୟାଣାର ସୀମାକୁ ନେଇ ନିର୍ମିତ ହେବ ମହାଭାରତ କରିଡର୍ ।
ଏହି ପରିପ୍ରେକ୍ଷୀର ଆମ୍ ଆଦମୀ ପାର୍ଟିର ମୁଖ୍ୟଙ୍କୁ ଗୁଡ଼ାଇ ତୁଡ଼ାଇ ଅନେକ ସମାଲୋଚନା କରିଛନ୍ତି ଶାହା । ସେ କହିଛନ୍ତି ପ୍ରତିଶ୍ରୁତି ଦେଇ ପୂରଣ କରୁ ନାହାଁନ୍ତି ଆଉ ପୁଣି ଥରେ ବିଚରା ଚେହେରା ନେଇକି ଆସୁଛନ୍ତି । କହିଥିଲେ ବଙ୍ଗଳା ନେବେ ନାହିଁ କିନ୍ତୁ ୫୧ କୋଟି ଟଙ୍କା ବଙ୍ଗଳାକୁ ସଜାଇବାରେ ଖର୍ଚ୍ଚ କରିଦେଲେ । ଯାହାର ଜବାବ ଦିଲ୍ଲୀ ଜନତା ମାଗୁଛନ୍ତି । ସେହିପରି କହିଥିଲେ ମଦ ବନ୍ଦ କରିଦେବେ, କିନ୍ତୁ ମନ୍ଦିର, ଗୁରୁଦ୍ୱାର, ବିଦ୍ୟାଳୟ କେଉଁଠି ବି ଛାଡ଼ିଲେନି, ସବୁଠି ମଦ ଦୋକାନ ଖୋଲିଦେଲେ ।
କେଜ୍ରିୱାଲ ଆହୁରି ମଧ୍ୟ କହିଥିଲେ ୭ ବର୍ଷରେ ଯମୁନାକୁ ସଫା କରିଦେବି ଆଉ ବୁଡ଼ ପକାଇବି, ସେଥିପାଇଁ ଲୋକ ଅପେକ୍ଷା କରିଛନ୍ତି ଆପଣ କେବେ ବୁଡ଼ ପକାଇବେ । ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବାକୁ ଦିନରେ ତିନି ଥର ସାମ୍ବାଦିକ ସମ୍ମିଳନୀ ଛଡ଼ା ଆଉ କିଛି କଲେ ନାହିଁ । ସେହିପରି କେଜ୍ରିୱାଲ ବିରୋଧରେ ଥିବା ମଦ ଦୁର୍ନୀତି ମାମଲାକୁ ନେଇ ମଧ୍ୟ ଟାର୍ଗେଟ୍ କରିଛନ୍ତି ଶାହା ଆଉ କହିଛନ୍ତି, ଜାମିନରେ ଆସିବା ପରେ କହିଥିଲେ ମୁଁ ପବିତ୍ର ଅଟେ, କିନ୍ତୁ କେଜ୍ରିୱାଲ ଜି ଆପଣ ଜାମିନରେ ଆସିଛନ୍ତି ମାତ୍ର ଦୋଷମୁକ୍ତ ହୋଇ ନାହାଁନ୍ତି । ସେହିପରି ଦିଲ୍ଲୀରେ ଜଣେ ଦଳିତ ଶ୍ରେଣୀର ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ୧୦ ବର୍ଷ ମଧ୍ୟରେ ଜଣେ ବି ଦଳିତ ଉପମୁଖ୍ୟମନ୍ତ୍ରୀ ହୋଇ ନାହାଁନ୍ତି ବୋଲି କହିଛନ୍ତି ଶାହା ।