ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟୀର ଦିଲ୍ଲୀ ବନବାସ ଶେଷ ହୋଇଛି । ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀ ଶାସନ ସମ୍ଭାଳିବ ବିଜେପି । ବିଧାନସଭା ନିର୍ବାଚନରେ ଅପ୍ରତ୍ୟାଶିତ ବିଜୟ ପରେ ଏବେ ସମସ୍ତଙ୍କ ମଧ୍ୟରେ ବଡ଼ ପ୍ରଶ୍ନ ଦିଲ୍ଲୀ ସିଂହାସନରେ କାହାକୁ ବସାଇବ ଦଳ । ଏ ନେଇ ଆଜି କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ବାସଭବନେର ଗୁରୁତ୍ୱପୂର୍ଣ୍ଣ ବିଚାର ବିମର୍ଶ ଚାଲିଛି । ଅନ୍ୟପକ୍ଷରେ ଆଜି ଅପରାହ୍ନରେ ଦଳର ଉଚ୍ଚସ୍ତରୀୟ ବୈଠକ ବସିବାର କାର୍ୟ୍ୟକ୍ରମ ରହିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଯେଉଁଥିରେ ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ମଧ୍ୟ ଯୋଗ ଦେବେ ।
ତେବେ ମୁଖ୍ୟମନ୍ତ୍ରୀ ପାଇଁ ନାମ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ୭ ଜଣଙ୍କ ନାମକୁ ନେଇ ଚର୍ଚ୍ଚା ଜାରି ରହିଛି । ତେବେ ଏଥିରେ ପ୍ରବେଶ ବର୍ମା ପ୍ରବଳ ଦାବିଦାର ରହିଛନ୍ତି । ଯିଏକି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟୀର ମୁଖ୍ୟଙ୍କୁ ପରାସ୍ତ କରିଛନ୍ତି । ସେହିପରି ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ସତୀଶ ଉପାଧ୍ୟାୟ, ବିଜେନ୍ଦ୍ର ଗୁପ୍ତା, ରେଖା ଗୁପ୍ତା ଓ ଆଶୀଷ ସୁଦଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି ।
ସେପଟେ ଆତିଶୀ ମାର୍ଲେନା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ଉପରାଜ୍ୟପାଳ ବିକେ ସକସେନାଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଉପ ରାଜ୍ୟପାଳ ଦିଲ୍ଲୀ ବିଧାନସଭା ଭଙ୍ଗ ପାଇଁ ନୋଟିସ୍ ଜାରି କରିଛନ୍ତି । ଅନ୍ୟପକ୍ଷରେ ନବନିର୍ବାଚିତ ବିଜେପି ବିଧ୍ୟାୟକ ପ୍ରବେଶ ବର୍ମା, ଅରବିନ୍ଦ ସିଂହ ଲବଲୀ. ରାଜକୁମାର ଚୌହ୍ୱାନ, ନୀରଜ ବସୋୟା, କୈଲାଶ ଗେହଲଟ ଉପରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ଦାବିଦାରମାନଙ୍କ ବିଷୟରେ ସଂକ୍ଷେପରେ...
ପ୍ରବେଶ ବର୍ମା: ପୂର୍ବତନ ସାଂସଦ ପ୍ରବେଶ ବର୍ମା ନୂଆଦିଲ୍ଲୀ ଆସନରୁ ଆପ ସଂଯୋଜକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଛନ୍ତି । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ । ତାଙ୍କର ଦାବି ଦୃଢ଼ କାରଣ ସେ କେଜ୍ରିୱାଲଙ୍କୁ ହରାଇ ଥିବାରୁ ସେ ଦୃଢ଼ ଦାବିଦାର ରହିଛନ୍ତି । ଏହା ସହିତ ରାଜନୀତିରେ ତାଙ୍କର ଅନେକ ଅଭିଜ୍ଞତା ମଧ୍ୟ ରହିଛି । ସେ ଦୁଇଥର ସାଂସଦ ଏବଂ ଥରେ ବିଧାୟକ ହୋଇଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ କରି, ଦିଲ୍ଲୀ ଗ୍ରାମାଞ୍ଚଳର ଜାଠମାନଙ୍କ ସହିତ ରାଜସ୍ଥାନ, ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶକୁ ଏକ ବାର୍ତ୍ତା ଦିଆଯାଇପାରିବ।
ସତୀଶ ଉପାଧ୍ୟାୟ: ମାଲବୀୟ ନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ସତୀଶ ଉପାଧ୍ୟାୟ ଦିଲ୍ଲୀ ବିଜେପିର ପୂର୍ବତନ ଅଧ୍ୟକ୍ଷ । ସେ ନଗର ନିଗମର ସ୍ଥାୟୀ କମିଟିର ଅଧ୍ୟକ୍ଷ ହେବା ସହିତ, ନୂଆଦିଲ୍ଲୀ ନଗର ପରିଷଦର ଉପାଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି । ବର୍ତ୍ତମାନ ସେ ମଧ୍ୟପ୍ରଦେଶ ବିଜେପିର ସହ-ପ୍ରଭାରୀ ଅଛନ୍ତି ।
ବିଜେନ୍ଦ୍ର ଗୁପ୍ତା: ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ରହିଛନ୍ତି ବିଜେନ୍ଦର ଗୁପ୍ତା । ୨୦୧୫ ଏବଂ ୨୦୨୦ରେ ରୋହିଣୀରୁ ବିଧାୟକଭାବେ ନିର୍ବାଚିତ ହୋଇଥିଲେ । ଦଳ ତାଙ୍କୁ ୨୦୧୫ରେ ବିରୋଧୀ ଦଳ ନେତା ମଧ୍ୟ କରିଥିଲା ।
ରେଖା ଗୁପ୍ତା: ଶାଲିମାର ବାଗରୁ ନିର୍ବାଚନ ଜିତିଥିବା ରେଖା ଗୁପ୍ତା ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହିଛନ୍ତି । ରାଜ୍ୟ ବିଜେପିର ପୂର୍ବତନ ସାଧାରଣ ସମ୍ପାଦକ ହେବା ବ୍ୟତୀତ, ସେ ବର୍ତ୍ତମାନ ଜଣେ ନଗର ନିଗମ କାଉନସିଲର ମଧ୍ୟ ଅଛନ୍ତି ।
ଆଶିଷ ସୁଦ: ଜନକପୁରୀରୁ ଜିତିଥିବା ଆଶିଷ ସୁଦ ହେଉଛନ୍ତି ଦିଲ୍ଲୀରେ ଦଳର ପଞ୍ଜାବୀ ଚେହେରା । ସେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଏବଂ ଉପାଧ୍ୟକ୍ଷ ଥିଲେ। ସେ ବର୍ତ୍ତମାନ ଗୋଆ ଏବଂ ଜମ୍ମୁ ଏବଂ କାଶ୍ମୀରର ସହ-ପ୍ରଭାରୀ ଅଛନ୍ତି।