ନୂଆଦିଲ୍ଲୀ: ପୁଣି ବଢିପାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡ଼ୁଆ । ସର୍ବୋଚ୍ଚ ଅଦାଲତରେ ପହଁଚିଛି ମାହାଙ୍ଗା ଡବଲ ମର୍ଡର ମାମଲା । ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବିଶ୍ୱାଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୪ ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବାକୁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର୍ ମାମଲାରେ ମୃତ କୁଳମଣୀ ବରାଳଙ୍କ ପରିବାର ଓଡ଼ିଶା ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କୁଳମଣୀଙ୍କ ପୁଅ ରଞ୍ଜିତ ବରାଳ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିବାବେଳେ ମାମଲାର ବିଚାର ପାଇଁ କୋର୍ଟ ଗ୍ରହଣ କରିଛନ୍ତି । ନ୍ୟାୟାଧୀଶ ବିକ୍ରମ ନାଥ ଏବଂ ନ୍ୟାୟାଧୀଶ ସନ୍ଦୀପ ମେହଟାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ମାନ୍ୟବର ଅଦାଲତ । ଏଥିପାଇଁ ୪ ସପ୍ତାହର ମହଲତ ଦେଇଛନ୍ତି । ଏହି ଅବଧି ମଧ୍ୟରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରତାପ ଜେନାଙ୍କୁ ହାଇକୋର୍ଟ କ୍ଲିନ୍ ଚିଟ୍ ପ୍ରଦାନ କରିଥିଲେ ।
କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ହତ୍ୟା
ବିଜେପି ନେତା କୁଳମଣି ବରାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥରାଶୀରେ ବିଜେଡି ନେତାମାନେ ଦୁର୍ନୀତି କରୁଥିବା ଘଟଣାକୁ ନେଇ ସ୍ଵର ଉତ୍ତୋଳନ କରିଥିଲେ। ୨୦୨୧ ଜାନୁଆରୀ ୨ ମାସରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସାଥି ଦିବ୍ୟସିଂହ ବରାଳଙ୍କୁ କଟକ ଜିଲ୍ଲା ମାହାଙ୍ଗା ନିକଟରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏ ସଂକ୍ରାନ୍ତରେ ନେତାଙ୍କ ପରିବାର ଲୋକ ବିଜେଡି ନେତା ପ୍ରତାପ ଜେନାଙ୍କ ହତ୍ୟାକାଣ୍ଡ ସହିତ ସମ୍ପର୍କ ଥିବା ନେଇ ଅଭିଯୋଗ ଆଣିଥିଲେ । ତେବେ ପ୍ରତାପ ଜେନା ଏ ସଂକ୍ରାନ୍ତରେ ପୁଲିସର ସନ୍ଦେହ ଘେରକୁ ଆସିଥିଲେ । ଏହାପରେ ୧୨ ଜଣଙ୍କୁ ଗିରଫ କରିଥିଲା ପୁଲିସ । ହେଲେ ପରବର୍ତ୍ତୀ ସମୟରେ ପ୍ରତାପ ଜେନାଙ୍କ ନାମ ଚାର୍ଜସିଟରୁ ବାଦ ପଡିଥିଲା ।
୯ ଜଣଙ୍କୁ ଆଜୀବନ କାରାଦଣ୍ଡ
୨୦୨୪, ଅଗଷ୍ଟ ୨୮ ତାରିଖରେ ଏହି ମାମଲାରେ ସାଲେପୁର ଅତିରିକ୍ତ ଜିଲ୍ଲା ଅଦାଲତ ଶୁଣାଣି କରି ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହା ସହିତ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଥିଲେ ।
ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ କ୍ଲିନ୍ ଚିଟ୍
୨୦୨୪ ଅକ୍ଟୋବର ୧ରେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଥିଲା । ହାଇକୋର୍ଟ ପ୍ରତାପ ଜେନାଙ୍କୁ ଏହି ହତ୍ୟାକାଣ୍ଡ ମାମଲାରେ କ୍ଲିନ ଚିଟ୍ ପ୍ରଦାନ କରିଛନ୍ତି । ସାଲେପୁର କୋର୍ଟରେ ଥିବା ମାମଲାରୁ ହାଇକୋର୍ଟ ଖାରଜ କରିଥିଲେ । ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଜେନା ୧୩ ନମ୍ବର ମୁଦାଲା ଥିଲେ । ପ୍ରଥମେ ଏହି ମାମଲାରେ ତାଙ୍କ ନାଁ ନ ଥିଲା । ପରେ ସାଲେପୁର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରତାପଙ୍କ ନାଁକୁ ଯୋଡ଼ା ଯାଇଥିଲା । ଯାହାକୁ ବିରୋଧ କରି ପ୍ରତାପ ଜେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଉପର କୋର୍ଟ ପ୍ରତାପଙ୍କ ଆବେଦନକୁ ଗ୍ରହଣ କରିବା ସହିତ ତଳ କୋର୍ଟଙ୍କ ମାମଲାକୁ ଖାରଜ କରିଛନ୍ତି ।