ଭୁୁବନେଶ୍ୱର:ଆମ୍ବ ଟାକୁଆ ଖାଇ ୨ ଜଣ ମୃତ୍ୟୁ ଓ ୬ ଜଣ ଗୁରୁତର ହେବା ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଜେପି ସରକାରକ ସମାଲୋଚନା କରିଥିଲେ । ସେପଟେ ଓଡିଶାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ମହିଳାଙ୍କ ପ୍ରତି ବଢିଥିବା ହିଂସାକୁ ନେଇ ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଜୀ । ସେ ପ୍ରଶ୍ନ କରିିଛନ୍ତି, ମହିଳାଙ୍କୁ ନ୍ୟାୟ ଦେବାରେ ଓଡ଼ିଶା କାହିଁକି ପଛରେ ? ୨୪ ବର୍ଷ ଶାସନରେ ରହି କ’ଣ କରୁଥିଲେ ନବୀନ ?
ଆଜି ଲୋକସେବା ଭବନରେ ଆୟୋଜିତ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତାର ଜାଗୃତିକରଣ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ରାଜ୍ୟରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ଏକ ଅଙ୍କ ଭିତରେ ରହିଛି । ଯାହାକି ଲଜ୍ୟାଜନକ । ଜାତୀୟ କ୍ରାଇମ ରେକର୍ଡ଼ ବ୍ୟୁରୋ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ମାତ୍ର ୯.୩ ପ୍ରତିଶତ । ୨୪ ବର୍ଷ ଧରି ଶାସନ କରିଥିବା ନବୀନ ପଟ୍ଟନାୟକଙ୍କ ପାଖରେ ଗୃହ ବିଭାଗ ରହିଥିଲା। ସେ ଏକଥାକୁ କ\'ଣ ଜାଣି ପାରୁନଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେ ଉଦାହରଣ ଦେଇ କହିଥିଲେ ଯେ, ମହିଳା ହିଂସା ସମ୍ପର୍କିତ ମକଦ୍ଦମାର ଦଣ୍ଡବିଧାନ ହାର ଓଡ଼ିଶାରେ ଗୋଟିଏ ଅଙ୍କରେ ରହିଛି । ୨୦୨୨ ମସିହାର ଏନସିଆରବି ତଥ୍ୟ ଅନୁସାରେ ମହିଳା ହିଂସା ବିରୋଧରେ ଦଣ୍ଡବିଧାନ ହାର ଉତ୍ତରପ୍ରଦେଶରେ ୭୦.୮ ପ୍ରତିଶତ, ମିଜୋରାମରେ ୬୮ପ୍ରତିଶତ ଓ ବିହାରରେ ୬୦.୯ ପ୍ରତିଶତ । କିନ୍ତୁ ଆମ ଓଡ଼ିଶାରେ ଏହା ମାତ୍ର ୯.୩ ପ୍ରତିଶତ ରହିଛି, ଯାହାକି ଲଜ୍ଜାଜନକ ।
ମୋହନ ମାଝୀ କହିଛନ୍ତି, ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ଓଡିଶାରେ ସବୁଠୁ କମ୍ ଥିବାବେଳେ ନବୀନ ସବୁଠି ମହିଳା ସଶକ୍ତିକରଣ କଥା କହୁଥିଲେ। କମ୍ ଦଣ୍ଡ ବିଧାନ ହାର ପାଇଁ ୨ଟି କାରଣ ଦାୟୀ । ପ୍ରଥମ କାରଣ ଖାମଖିଆଲି ଢଙ୍ଗରେ ତଦନ୍ତ କରିବା। ଆଉ ଯଦି ଚାପ ପଡିଲା ତାହେଲେ ମାମଲା ହେବ ନାହିଁ । ଦ୍ଵିତୀୟଟି ହେଉଛି ରାଜନୈତିକ ଇଛା ଶକ୍ତିର ଅଭାବ।
ପୂର୍ବ ସରକାର କେବଳ ମହିଳା ସଶକ୍ତିକରଣ ନାଁରେ ଡିଣ୍ଡିମ ପିଟୁ ଥିଲେ । କିନ୍ତୁ ଏବେ ଆଉ ଏସବୁ କଥା ଚାଲିବ ନାହିଁ। ମହିଳା ବିରୋଧୀ ଅପରାଧ ଜଡିତ ସବୁ ମାମଲାକୁ ବିଚାର କରି ଦଣ୍ଡ ବିଧାନ ପାଈଁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ ସ୍ପେଶାଲ କୋର୍ଟ ପ୍ରତିଷ୍ଠା କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।