ନୂଆଦିଲ୍ଲୀ: ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦଙ୍କ ସଂଖ୍ୟା ୮୭କୁ ବୃଦ୍ଧି ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ମନୋନୀତ ସାଂସଦ ସତନାମ ସିଂହ ସନ୍ଧୁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେପିରେ ସାମିଲ ହେଲା ପରେ ଶ୍ରୀ ସନ୍ଧୁ ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିଛନ୍ତି।
ଦଳବଦଳ ବିରୋଧୀ ଆଇନ ଅନୁସାରେ ମନୋନୀତ ସାସଂଦ ରାଜ୍ୟସଭାରେ ମନୋନୟର ୬ ମାସ ଭିତରେ କୌଣସି ରାଜନୈତିକ ଦଳରେ ସାମିଲ ହୋଇପାରିବେ। ସନ୍ଧୁ ଗତ ଜାନୁଆରି ୩୦ରେ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିଲେ। କୌଣସି ଦଳର ସଦସ୍ୟ ହେବା ପାଇଁ ତାଙ୍କୁ ଜୁଲାଇ ୩୦ ପର୍ଯ୍ୟନ୍ତ ସମୟ ଥିଲା। ଶେଷରେ ସେ ବିଜେପିରେ ଯୋଗ ଦେଇଛନ୍ତି। ଏଥି ସହିତ ରାଜ୍ୟସଭାରେ ବିଜେପିର ସଦସ୍ୟଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ବର୍ଷ ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟର କୁଳପତି ଓ ପ୍ରସିଦ୍ଧ ଶିକ୍ଷାବିତ୍ ସତନାମ ସିଂହ ସନ୍ଧୁଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସଦସ୍ୟତା ହାସିଲ କରିବା ନେଇ ସତନାମ ସିଂହ ସନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଛଥିଲେ। ଚାଷୀଙ୍କ ପୁଅ ସତନାମ ସିଂହ ସନ୍ଧୁ ନିଜର ପ୍ରବଳ ନିଷ୍ଠା ବଳରେ ଦେଶର ଶୀର୍ଷ ଶିକ୍ଷା କ୍ଷେତ୍ରରେ ପରିଚୟ ସୃଷ୍ଟି କରିପାରିଛନ୍ତି।