ଆଜି ରାଜଧାନୀ ଦିଲ୍ଲୀରେ ଚାଲିଛି ମହାନଗର ନିଗମ ନିର୍ବାଚନ | ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି | ୨୫୦ଟି ୱାର୍ଡରେ ଭୋଟିଂ ପାଇଁ ୧୩ ହଜାର ୬୩୮ ବୁଥ୍ ବ୍ୟବସ୍ଥା କରାଯାଇଛି | ଭୋଟକୁ ଆଖିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସମ୍ବେଦନଶୀଳ ଅଂଚଳରେ ଗତକାଲିଠୁ ପାଟ୍ରୋଲିଂ କରି କଡା ସୁରକ୍ଷା ବନ୍ଦୋବସ୍ତ କରିବା ସହ ସିସିଟିଭି କ୍ୟାମେରା ଲଗାଯାଇଛି । ଏଥିସହ ଭୋଟ ଦେବା ପାଇଁ ଆସୁଥିବା ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ଟ୍ରାଇ ସାଇକେଲର ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ମୋଟ ୧ କୋଟି ୪୫ ଲକ୍ଷରୁ ଅଧିକ ଭୋଟର ନିଜ ମତ ଅଧିକାର ସାବ୍ୟସ୍ତ କରି ୧ହଜାର ୩୪୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଦିଲ୍ଲୀ ନଗର ନିଗମର ୨୫୦ ୱାର୍ଡରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୧ହଜାର ୩୪୯ ପ୍ରାର୍ଥୀ ।
ଦିଲ୍ଲୀ ଉପରେ ସମ୍ପୂର୍ଣ୍ଣ ଶାସନ ପ୍ରତିଷ୍ଠା କରିବା ପାଇଁ ଆମ୍ ଆଦମୀ ପାର୍ଟି (ଏଏପି) ନାଗରିକ ସଂସ୍ଥାର ନିୟନ୍ତ୍ରଣକୁ ନେଇ ଆଶା ରଖିଥିବାବେଳେ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଧାର ପ୍ରସ୍ତୁତ କରିବାକୁ ଭାରତୀୟ ଜନତା ପାର୍ଟି ସର୍ବାଧିକ ୱାର୍ଡ ଜିତିବାକୁ ଆଶା ରଖିଛି। ଅନ୍ୟପକ୍ଷରେ, ଜାତୀୟ ରାଜଧାନୀ ସହରରେ କଂଗ୍ରେସ ନିଜର ହଜିଯାଇଥିବା ସ୍ଥାନକୁ ପୁନଃ ପ୍ରାପ୍ତ କରିବାକୁ ଚାହୁଁଛି। MCD ନିର୍ବାଚନରେ 40,000 ପୋଲିସ କର୍ମଚାରୀ ଏବଂ 20,000 ହୋମଗାର୍ଡ ନିୟୋଜିତ ଅଛନ୍ତି ଏବଂ ନିର୍ବାଚନ ଆୟୋଗଙ୍କ ଦ୍ୱାରା କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ପାରାମିଲିଟାରୀ ଏବଂ ରାଜ୍ୟ ସଶସ୍ତ୍ର ପୋଲିସ ଫୋର୍ସର 108 ଟି କମ୍ପାନୀ ମଧ୍ୟ ନିୟୋଜିତ ହୋଇଛନ୍ତି। ୭ରେ ହେବ ଭୋଟ୍ ଗଣତି |