ମୁମ୍ବାଇ: ଆମେରିକାର ଭେନେଜୁଏଲା ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ବଡ ବୟାନ ଦେଇଛନ୍ତି କଂଗ୍ରେସ ନେତ ପୃଥ୍ୱୀରାଜ ଚହ୍ୱାନ । ସେ କହିଛନ୍ତି ଭେନେଜୁଏଲା ପରି ଅବସ୍ଥା ଭାରତରେ ବି ହୋଇପାରେ । ଏହି ମାମଲାରେ ସେ ଭାରତର ପ୍ରତିକ୍ରିୟାକୁ ମଧ୍ୟ ସମାଲୋଚନା କରିଛନ୍ତି । ଆମେରିକା ଭେନେଜୁଏଲାରେ ପ୍ରବେଶ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିଥିଲା । ମାଦୁରୋଙ୍କୁ ନ୍ୟୁୟର୍କର ଅଦାଲତରେ ହାଜର କରାଯାଇଥିଲା । ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ଉପରେ ଭାରତ ଗମ୍ଭୀର ଚିନ୍ତା ପ୍ରକାଶ କରିଥିଲା ।
ଚହ୍ୱାନ କହିଛନ୍ତି, ଭେନେଜୁଏଲାରେ ଯାହା କିଛି ଘଟିଲା ତାହା ମିଳିତ ଜାତିସଂଘର ନିୟମ ବିରୋଧରେ ଥିଲା । ଜଣେ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅପହରଣ କରାଗଲା । ଏହା ବହୁତ ଚିନ୍ତାର ବିଷୟ ଯେ, ଆଗାମୀ ଦିନରେ ଏମିତି କୌଣସି ଦେଶ ଭାରତ ସହିତ ମଧ୍ୟ କରିପାରେ । ଭବିଷ୍ୟତରେ ଭାରତ ସହିତ ମଧ୍ୟ ଏମିତି ହୋଇପାରେ । ଭାରତ ସବୁ ଥର ପରି ଏହି ମାମଲାରେ ମଧ୍ୟ କିଛି କହିଲା ନାହିଁ । ଭେନେଜୁଏଲା ଘଟଣାରେ କୌଣସି ଆଭିମୁଖ୍ୟ ପ୍ରକାଶ କଲା ନାହିଁ ଭାରତ ।
ସେ କହିଛନ୍ତି, ରୁଷ ଓ ଚୀନ ନିଜର ଆଭିମୁଖ୍ୟ ଜାହିର କରି ଆମେରିକାକୁ ବିରୋଧ କରିଛନ୍ତି । ଏମିତି ୟୁକ୍ରେନରେ ମଧ୍ୟ ଯୁଦ୍ଧ ହୋଇଥିଲା । ଆମେ କାହାରି ପକ୍ଷ ନେଲେ ନାହିଁ । ଇସ୍ରାଏଲ ଓ ହମାସ ମାମଲାରେ ମଧ୍ୟ ଆମେ କୌଣସି ପକ୍ଷ ନେଲେ ନାହିଁ । ଏବେ ପୁଣି ଆମେରିକାକୁ ଏତେ ଡରୁଛନ୍ତି ଯେ, ଏହାର ସମାଲୋଚନା ବି କରି ପାରୁ ନାହାନ୍ତି ଭାରତ ସରକାର ।
ସୂଚନାଯୋଗ୍ୟ, ଗତକାଲି ଭେନେଜୁଏଲାର ଅପଦସ୍ଥ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ସୋମବାର ଆମେରିକାର ସଂଘୀୟ ଅଦାଲତରେ ହାଜର କରାଯାଇଥିଲା । ଡ୍ରଗ୍ସ କାରବାର ସମେତ ଅନେକ ଗମ୍ଭୀର ଅଭିଯୋଗ ଉପରେ ନିଜକୁ କୋର୍ଟରେ ନିର୍ଦ୍ଦୋଷ ବୋଲି କହିଛନ୍ତି ମାଦୁରୋ । ସେ ଜଜଙ୍କ ସାମ୍ନାରେ କହିଥିଲେ ଯେ, ଏବେ ବି ସେ ଭେନେଜୁଏଲାର ରାଷ୍ଟ୍ରପତି । ମାଦୁରୋ ଓ ତାଙ୍କ ପତ୍ନୀ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଶୁଣାଣି ପରେ କୋର୍ଟରୁ ବାହାରିଥିଲେ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ୨୦୨୬ ମାର୍ଚ୍ଚ ୧୭ ପୂର୍ବାହ୍ଣ ୧୧ଟାରେ ହେବ ।
Also read: ପିଏମ ମୋଦୀ ଓ ଅମିତ ଶାହଙ୍କ କବର ଖୋଦାଯିବ, ଜେଏନୟୁରେ ଲାଗିଲା ନାରା