ଭୁବନେଶ୍ୱରରେ ପହଞ୍ଚିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମର ଶରୀର । ଏୟାର ଇଣ୍ଡିଆର ବିମାନ ଯୋଗେ ମରଶରୀର ନୂଆଦିଲ୍ଲୀରୁ ଭୁବନେଶ୍ଵର ବିମାନବନ୍ଦରକୁ ଅଣାଯାଇଥିଲା । ସେଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ଗାର୍ଡ ଅଫ୍ ଅନର ଦିଆଯିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିଥିଲେ । ବିମାନବନ୍ଦରରେ ବି ଅଗଣିତ ଲୋକଙ୍କ ଭିଡ଼ ଲାଗିଥିଲା ଶେଷ ଥର ପାଇଁ ଦେବେନ୍ଦ୍ରଙ୍କୁ ଦେଖିବାକୁ । ଏହାପରେ ତାଙ୍କ ପାର୍ଥିବ ଶରୀରକୁ ବିମାନ ବନ୍ଦରରୁ ସିଧା ବିଜେପି କାର୍ଯ୍ୟାଳୟକୁ ନିଆଯାଇଥିଲା ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଙ୍କ ପାର୍ଥିବ ଶରୀର ଉପରେ ବିଜେପି ଦଳୀୟ ପତାକାରେ ଘୋଡ଼ାଇ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଜେପିର ରାଜ୍ୟ ସଭାପତିଙ୍କ ସମତେ ବିଜେପିର ବହୁ ମନ୍ତ୍ରୀ, ନେତା ଓ କର୍ମୀମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେଠାରୁ ଦେବେନ୍ଦ୍ରଙ୍କ ମରଶରୀରକୁ ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନକୁ ନିଆଯିବ । ସେଠାରେ ସାଧାରଣ ଜନତା ଦେବେନ୍ଦ୍ରଙ୍କ ପାର୍ଥିବ ଶରୀର ଦର୍ଶନ କରିବେ । ଏହାପରେ ଆସନ୍ତାକାଲି ପୁରୀ ସ୍ଵର୍ଗଦ୍ଵାର ନିଆଯାଇ ତାଙ୍କ ଶେଷକୃତ୍ୟ କରାଯିବ । ପୁଅ ତଥା ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ତାଙ୍କୁ ମୁଖାଗ୍ନି ଦେବେ ।
ଓଡ଼ିଶାରୁ ବିଜେପିର ଦେବେନ୍ଦ୍ର ପ୍ରଧାନ ହୋଇଥିଲେ ପ୍ରଥମ କେନ୍ଦ୍ରମନ୍ତ୍ରୀ । ଦଳକୁ ତ୍ରୁଣମୂଳସ୍ତରରୁ ଦଳକୁ ମଜଭୁତ୍ କରିବାରେ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଭୂମିକା ଅତୁଳନୀୟ । ବିଜେପିକୁ ପ୍ରମୁଖ ରାଜନୈତିକ ଦଳ ଭାବରେ ପ୍ରତିଷ୍ଠିତ କରି କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିବାରେ ଓଡ଼ିଶାର ଭୂମିକାର ଶ୍ରେୟରେ ସେ ଥିଲେ ପ୍ରମୁଖ ବିନ୍ଧାଣି ।
ରାଜନୀତିକୁ ଆସିବା ପୂର୍ବରୁ ପେସାରେ ଡାକ୍ତର ଥିଲେ ଦେବେନ୍ଦ୍ର । କଟକ ଏସସିବି ମେଡିକାଲ୍ କଲେଜରୁ ଏମବିବିଏସ୍ ପାସ୍ କରିବା ପରେ ତାଳଚେର ଡେରାରେ ଅତିରିକ୍ତ ମେଡିକାଲ୍ ଅଫିସର ଭାବେ ୧୯୬୭ରେ ଚାକିରି ଆରମ୍ଭ କରିଥିଲେ । ୧୯୭୩ରେ ସରକାରୀ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇ ଘରୋଇ ଭାବେ ସେବା ଯୋଗାଇ ଆସୁଥିଲେ । ଏହା ପରେ ୧୯୮୦ରେ ରାଜନୀତିକୁ ଆସନ୍ତି ଡକ୍ଟର ଦେବେନ୍ଦ୍ର ପ୍ରଧାନ । ବିଜେପିରେ ଯୋଗ ଦେବା ସହ ଢେଙ୍କାନାଳ ଜିଲ୍ଲାରେ ପାଲଟନ୍ତି ବିଜେପିର ବଡ଼ ଚେହେରା । ପ୍ରଥମ ବ୍ଲକ ସଭାପତି ଭାବେ ମିଳେ ଦାୟିତ୍ଵ । ଏହା ପରେ ୧୯୮୩ରୁ ୧୯୮୫ ଓ ୧୯୮୫ରୁ ୧୯୮୮ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ଭାବେ ତାଙ୍କୁ ଦାୟିତ୍ୱ ମିଳେ । ୧୯୮୮ରେ ହୁଅନ୍ତି ରାଜ୍ୟ ବିଜେପି ସଭାପତି । ୧୯୯୦ରେ ପୁଣି ରାଜ୍ୟ ସଭାପତି ଭାବେ ସେ ପୁନଃ ନିର୍ବାଚିତ ହୁଅନ୍ତି ।
୧୯୯୮ରେ ଦେବଗଡ଼ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୁଅନ୍ତି । ପ୍ରଥମଥର ଲୋକସଭାକୁ ନିର୍ବାଚିତ ହେବା ସହ ବାଜପେୟୀ ସରକାରରେ ସେ ହୁଅନ୍ତି କେନ୍ଦ୍ର ରାଷ୍ଟ୍ର ପରିବହନ ମନ୍ତ୍ରୀ । ପୁଣି ଥରେ ୧୯୯୯ରେ ଦେବେନ୍ଦ୍ର ଲୋକସଭାକୁ ନିର୍ବାଚିତ ହୁଅନ୍ତି । ତାଙ୍କୁ ପୁଣି ଥରେ ପରିବହନ ସହ କୃଷି ବିଭାଗ ମିଳେ । ୧୯୯୯ରୁ ୨୦୦୧ ମସିହା ପର୍ଯ୍ୟନ୍ତ ସେ ଦୁଇ ବିଭାଗର ଦାୟିତ୍ଵ ତୁଲାନ୍ତି । ଏହା ପରେ ୨୦୦୧ରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ସେ ନିଯୁକ୍ତ ହୋଇଥିଲେ ।
ତାଙ୍କ ବିୟୋଗରେ ଆଜି ସମସ୍ତେ ଦୁଃଖରେ ମିୟର୍ମାଣ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ସମସ୍ତେ ଶୋକବ୍ୟକ୍ତ କରିଛନ୍ତି । ଏଥିସହ ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଦର୍ଶନ କରିବା ସହିତ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅଗଣିତ ଲୋକେ ।