ନୂଆଦିଲ୍ଲୀ: ତାମିଲନାଡୁରେ ପୁରୁଣା ସାଥୀ ବିଜେପି ଓ ଏଆଇଏଡିଏମକେ ପୁଣି ଥରେ ଏକାଠି ହୋଇଛନ୍ତି । ମାତ୍ର ଏହା ପୂର୍ବରୁ ବିଜେପି ପକ୍ଷରୁ ରାଜ୍ୟ ବିଜେପି ସଭାପତି ଭାବେ କେ ଅନ୍ନାମଲାଇଙ୍କ ସ୍ଥାନରେ ତିରୁନେଭେଲିର ବିଧାୟକ ନୈୟନାର ନାଗେନ୍ଦ୍ରନଙ୍କୁ ନିଯୁକ୍ତ କରାଯାଇଛି । ହେଲେ ରାଜନୈତିକ ମହଲରେ ଏହି ଚର୍ଚ୍ଚା ଜୋର ଧରିଛି ଯେ, ମେଣ୍ଟ କାରଣରୁ ଅନ୍ନାମଲାଇଙ୍କୁ ନିଜର ପଦ ହରାଇବାକୁ ପଡିଛି । ଗତକାଲି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ଏ ସଂପର୍କରେ ପ୍ରତିକ୍ରିୟା ଦେଇଛନ୍ତି ।
ଶାହ କହିଛନ୍ତି, ଏହା ଆଦୌ ସତ ନୁହେଁ । ସେ ସ୍ମିତ ହାସ୍ୟ ନେଇ ନିଜ ପାଖରେ ବସିଥିବା ଅନ୍ନାମଲାଇଙ୍କ ଆଡକୁ ଇସାରା କରି କହିଛନ୍ତି ଯେ, ଆଜି ବି ସେ ଆମର ସଭାପତି । ଏଥିପାଇଁ ତ ସେ ମୋ ପାଖରେ ବସିଛନ୍ତି । ଦୁଇ ପାର୍ଟିର ନେତା ଏନଡିଏ ବ୍ୟାନରରେ ସହଯୋଗୀଙ୍କ ସହ ଏକାଠି ମିଶି ତାମିଲନାଡୁ ବିଧାନସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନିଆଯାଇଛି । ଜାତୀୟ ସ୍ତରରେ ନିର୍ବାଚନ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଲଢାଯିବ ଏବଂ ରାଜ୍ୟସ୍ତରରେ ଏଆଇଏଡିଏମକେର ପ୍ରମୁଖ କେ ପଲାନିସ୍ୱାମୀଙ୍କ ନେତୃତ୍ୱରେ ନିର୍ବାଚନ ଲଢାଯିବ ବୋଲି ଶାହ କହିଛନ୍ତି ।
ଶାହ କହିଛନ୍ତି, ଯଦି ଆବଶ୍ୟକ ପଡେ ତେବେ ଆମେ ଏକ ମିଳିତ କାର୍ଯ୍ୟକ୍ରମ ଆୟୋଜନ କରିବୁ । ଶାହ ୧୯୯୮ରେ ଲୋକସଭାରେ ମିଳିଥିବା ବଡ ବିଜୟକୁ ମଧ୍ୟ ମନେ ପକାଇଛନ୍ତି । ସେହି ସମୟରେ ବିଜେପି ଓ ଏଆଇଏଡିଏମକେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ନେତୃତ୍ୱରେ ମେଣ୍ଟ ହୋଇଥିଲା । ୩୯ ଲୋକସଭା ସିଟରୁ ମେଣ୍ଟ ୩୦ଟି ଜିତିଥିଲା ।
ସୂଚନାଯୋଗ୍ୟ, ଅନ୍ନାମଲାଇଙ୍କ ବୟାନ ପରେ ହିଁ ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ମେଣ୍ଟ ଭାଙ୍ଗିଥିଲା । ସେହି ସମୟରେ ବି ଏଆଇଏଡିଏମକେ ଅନ୍ନାମଲାଇଙ୍କୁ କ୍ଷମା ମାଗିବାକୁ କହିଥିଲା । ମାତ୍ର ଅନ୍ନାମଲାଇ ଏମିତି କରିବାକୁ ସ୍ପଷ୍ଟ ମନା କରି ଦେଇଥିଲେ । ପାର୍ଟି ବିଜେପି ହାଇକମାଣ୍ଡଙ୍କୁ ଅନ୍ନାମଲାଇଙ୍କୁ ପଦରୁ ହଟାଇବାକୁ ଦାବି କରିଥିଲା । ହେଲେ ବିଜେପି ନିଜର ସହଯୋଗୀ ପାର୍ଟିଙ୍କ କଥା ଶୁଣିବାକୁ ମନା କରି ଦେଇଥିଲା । ଯାହା ଫଳରେ ଏଆଇଏଡିଏମକେ ଏନଡିଏ ମେଣ୍ଟରୁ ଓହରି ôଯାଇଥିଲା । ୨୦୨୪ ଲୋକସଭା ନିର୍ବାଚନରେ ଉଭୟ ପାର୍ଟିକୁ ମେଣ୍ଟ ଭାଙ୍ଗିବାର ପରିଣାମ ଭୋଗିବାକୁ ପଡିଥିଲା । ଦୁଇ ପାର୍ଟି ରାଜ୍ୟରେ ଗୋଟିଏ ହେଲେ ଲୋକସଭା ସିଟ୍ ଜିତିବାରେ ବିଫଳ ରହିଥିଲେ ।