ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ପାଇଁ ଆଜି ବାଚସ୍ପତି ନିର୍ବାଚନ ହେଉଛି। ବିଗତ ୫ ଦଶନ୍ଧି ମଧ୍ୟରେ ଭାରତୀୟ ଗଣତନ୍ତ୍ର ପାଇଁ ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଚତୁର୍ଥ ଥର ପାଇଁ ହେଉଥିବା ଲୋକସଭାର ବାଚସ୍ପତି ନିର୍ବାଚନରେ ଏନ୍ଡିଏର ପ୍ରାର୍ଥୀ ଓମ୍ ବିର୍ଲା ଓ ଇଣ୍ଡି ମେଣ୍ଟର ପ୍ରାର୍ଥୀ କୋଡିକୁନିଲ ସୁରେଶ ମୁହାଁମୁହିଁ ହୋଇଛନ୍ତି। ଉଭୟ ନେତା ମଙ୍ଗଳବାର ସେମାନଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ପୂର୍ବାହ୍ଣ ୧୧ଟାରେ ଏହି ନିର୍ବାଚନ ହେବ। ଗୃହରେ ଏହି ସମୟରେ ଉଭୟ ଶାସକ ଓ ବିରୋଧୀ ଦଳର ସାଂସଦମାନେ ଉପସ୍ଥିତ ରହିବେ। ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତୃଣମୂଳ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ୍ କରିଛନ୍ତି।
ରାହୁଲ ଗାନ୍ଧୀ ଓ ମମତା ବାନାର୍ଜୀଙ୍କ ମଧ୍ୟରେ ଲୋକସଭାର ବାଚସ୍ପତି ନିର୍ବାଚନ ନେଇ ୨୦ ମିନିଟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଉଭୟ ନେତା ଓ ନେତ୍ରୀଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଛି, ଯଦିଓ ତାହା ସ୍ପଷ୍ଟ ହୋଇନାହିଁ, ତଥାପି ଇଣ୍ଡି ମେଣ୍ଟକୁ ସମର୍ଥନ ଦେବା ପାଇଁ ମମତାଙ୍କୁ ରାହୁଲ ଫୋନ୍ କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।
ଅନ୍ୟପଟରେ ଏହି ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ବୈଠକ ହୋଇଛି। ଏହି ବୈଠକରେ ସୁଦୀପ ବନ୍ଦୋପାଧ୍ୟାୟ, କଲ୍ୟାଣ ବାନାର୍ଜୀ, ଅଭିଷେକ ବାନାର୍ଜୀ ଓ ଅନ୍ୟ ବରିଷ୍ଠ ସାସଂଦ ଉପସ୍ଥିତ ଅଛନ୍ତି। ସାଂସଦମାନେ ମମତାଙ୍କ ସହିତ ଆଲୋଚନା କରିବା ପରେ ସେମାନେ ଇଣ୍ଡି ମେଣ୍ଟକୁ ସମର୍ଥନ କରିବେ ନାହିଁ ତାହା ସ୍ପଷ୍ଟ ହେବ।