ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସରକାର ରବିବାର ସର୍ବଦଳୀୟ ବୈଠକ ଡକାଇଛନ୍ତି । ବୈଠକରେ କଂଗ୍ରେସ ଆଦାନୀ ଓ ମଣିପୁର ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ଦାବି କରିଛି। ଏହା ବ୍ୟତୀତ ବିରୋଧୀ ଦଳ ଉତ୍ତର ଭାରତରେ ପ୍ରଦୂଷଣ ଓ ଟ୍ରେନ ଦୁର୍ଘଟଣା ଉପରେ ମଧ୍ୟ ଆଲୋଚନା ପାଇଁ ଦାବି କରିଛନ୍ତି ।
କଂଗ୍ରେସ ନେତା ପ୍ରମୋଦ ତିୱାରୀ କହିଛନ୍ତି, ତାଙ୍କ ପାର୍ଟି ଆଦାନୀ ଗ୍ରୁପ ଉପରେ ଲାଗିଥିବା ଲାଞ୍ଚ କାରବାର ଅଭିଯୋଗ ଉପରେ ସଂସଦରେ ଆଲୋଚନା ପାଇଁ ଅନୁମତି ଦେବାକୁ ସରକାରଙ୍କୁ ଅପିଲ୍ କରିଛନ୍ତି । ତାଙ୍କ ପାର୍ଟି ଚାହୁଁଛି ସୋମବାର ସଂସଦର ବୈଠକରେ ସର୍ବପ୍ରଥମେ ଏହି ପ୍ରସଙ୍ଗ ଉଠାଯାଉ । ରାଜ୍ୟସଭା ସଦସ୍ୟ ତିୱାରୀ କହିଛନ୍ତି, ଦେଶର ଆର୍ଥିକ ଓ ସୁରକ୍ଷା ହିତ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । କାରଣ କମ୍ପାନି ନିଜର ସୌର ଉର୍ଜା ପ୍ରକଳ୍ପ ପାଇଁ ଅନୁକୂଳ କଂଟ୍ରାକ୍ଟ ପାଇବା ପାଇଁ ନେତା ଓ ପ୍ରଶାସନିକ ଅଧିକାରୀଙ୍କକୁ ୨୩୦୦ କୋଟି ଟଙ୍କାର ଲାଞ୍ଚ ଦେଇଥିବା ଆମେରିକାରୁ ସଙ୍ଗୀନ ଅଭିଯୋଗ ହୋଇଛି ।
ସଂସଦର ଶୀତକାଳୀନ ଅଧିବେଶନ ସୋମବାରଠୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନ ପାଇଁ ୱାକଫ ସଂଶୋଧନ ବିଧେୟକ ସମେତ ୧୬ ବିଧେୟକ ସୂଚୀବଦ୍ଧ କରାଯାଇଛି । କେନ୍ଦ୍ରୀୟ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଆହୂତ ସର୍ବଦଳୀୟ ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ନେତା ଜୟରାମ ରମେଶ ଓ ଗୌରବ ଗୋଗୋଇଙ୍କ ବ୍ୟତୀତ ଟି ଶିବା, ହରସିମରତ କୌର ବାଦଲ ଓ ଅନୁପ୍ରିୟା ପଟେଲ୍ ଯୋଗ ଦେଇଥିଲେ ।