ପଦ୍ମ ପୋଖରୀରେ ବୁଡ଼ ପକାଇଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଗୁରୁବାର ଅପରାହ୍ନରେ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଲେ ପ୍ରଶାନ୍ତ ଜଗଦେବ । ବିଜେପି ସହପ୍ରଭାରୀ ଲତା ଉସେଣ୍ଡି, ଅପରାଜିତା ଷଡ଼ଙ୍ଗୀ, ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ପ୍ରଶାନ୍ତ ଜଗଦେବ । ୨୦୧୪-୧୯ ପର୍ଯ୍ୟନ୍ତ ବିଜେଡିରୁ ବେଗୁନିଆ ବିଧାୟକ ରହିଥିଲେ ପ୍ରଶାନ୍ତ । ୨୦୧୯ରେ ସେ ବିଜେଡି ଟିକେଟରୁ ଚିଲିକା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ତେବେ ବିଭିନ୍ନ ଘଟଣା କ୍ରମ ପାଇଁ ବିବାଦୀୟ ହେବା ପରେ ତାଙ୍କୁ ୯ ସେପ୍ଟେମ୍ବର ୨୦୨୧ରେ ବିଜେଡି ଦଳରୁ ନିଲମ୍ବିତ କରିଥିଲା । ତେବେ ବିଜେଡିରୁ ନିଲମ୍ବିତ ହେବା ପରେ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନେକ ଦିନ ହେବ ଚର୍ଚ୍ଚା ହେଉଥିଲା । ଆଉ ଆଜି ସେହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ପ୍ରଶାନ୍ତ ଜଗଦେବ ।
ତେବେ ସାଧାରଣ ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତିରେ ସେତିକି ସରଗରମ ହେବାରେ ଲାଗିଛି । ନିର୍ବାଚନ ପୂର୍ବରୁ ଏକାଧିକ ବିଜେଡି ନେତା ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେପିରେ ସାମିଲ ହୋଇଥିଲେ । ଆଜିର ମିଶ୍ରଣ ପର୍ବରେ ପ୍ରଶାନ୍ତଙ୍କ ସହ ଜିଲ୍ଲାପରିଷଦ ସଦସ୍ୟ ତଥା ବିଜେଡିର ବ୍ଲକ ସଭାପତି ଅନାଦି ସାହୁ, ବିଜେଡି ନେତା ଭବାନୀ ଜଗଦେବ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୌରୀ ସାହୁ, ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଶୁଭାଙ୍ଗୀ ଡାକୁଆଙ୍କ ସହ ଅନେକ ନେତାନେତ୍ରୀ ବିଜେପିରେ ଯୋଗ ଦେଇଛନ୍ତି ।
ଅଧିକ ପଢନ୍ତୁ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଯିବେ ରାଷ୍ଟ୍ରପତି