ପୁଣି ତେଜିଲା ଆବାସ ଯୋଜନା କଳି : ଆବାସ ବଣ୍ଟନ ନେଇ ସରକାରଙ୍କୁ ବିଜେପିର ଚେତାବନୀ
Khabar Odisha:BJP-throws-4-questions-to-Odisha-govt-over-PMAY-house-allotment
ଖବର ଓଡିଶା : 25/05/2023

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛି ବିଜେପି। ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ, ଗରିବ ଲୋକଙ୍କୁ ଠକି ଚାଲିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର ଯେତେ ଆବଶ୍ୟକ ଘର ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାର ସଠିକ୍ ଭାବେ କ୍ରିୟାନ୍ୱୟନ କରୁନାହାନ୍ତି । କେନ୍ଦ୍ର ସରକାର ଆବଶ୍ୟକ ଘର ଦେଉଥିବା ବେଳେ ଏହା ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନି  ।

ସେ ଆହୁରି କହିଛନ୍ତି ଯେ, ୨୦୧୯ ପରଠୁ ଆବାସ ପାଇନଥିବା ଯୋଗ୍ୟ ଲୋକଙ୍କ ପାଇଁ ସୁଦୂର ପ୍ରସାରି ସ୍ୱପ୍ନ ହୋଇଯାଇଛି। ରାଜ୍ୟ ସରକାରଙ୍କ ଟାର୍ଗେଟ ଥିଲା ୨୬ ଲକ୍ଷ ୯୫ ହଜାର ପକ୍କାଘର । କେନ୍ଦ୍ର ସରକାର ଆଜି ସୁଦ୍ଧା ୨୬ ଲକ୍ଷ ୫୧ ହଜାର ଘର ମଞ୍ଜୁର କରିସାରିଛନ୍ତି । ସେଥିରୁ ୧୭ ଲକ୍ଷ ୧୪ ହଜାର ଘର ସଂପୂର୍ଣ୍ଣ ହୋଇଥିବାବେଳେ ବଳକା ୯ ଲକ୍ଷ ୫୯ ହଜାର ୫ଶହ ଘର ହୋଇପାରୁନାହିଁ l ରାଜ୍ୟ ସରକାର ନା ତାଲିକା ପ୍ରସ୍ତୁତ କରିପାରୁଛନ୍ତି ନା ଘର ହୋଇପାରୁଛନ୍ତି ବୋଲି ପୃଥ୍ୱୀରାଜ ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ୩୪ ହଜାର ୬୩ କୋଟି ଟଙ୍କା ପିଏମ ଆବାସ ଯୋଜନା ପାଇଁ ସହାୟତା ଦେଇଥିଲେ ବି ଓଡ଼ିଶା ଲୋକ ଘର ନପାଇବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପୃଥ୍ୱୀରାଜ । ତା’ସହ ୪ଟି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ସେ ଘେରିଛନ୍ତି । ତେବେ ଏନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Subscribe

National International State Sports Entertainment