ଖବର ଓଡିଶା : 04/03/2023
ଆସନ୍ତାକାଲି ପଞ୍ଚାୟତିରାଜ ଦିବସକୁ ବିଜେପି ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ଭ୍ରଷ୍ଟାଚାରର ବାରୂଦ ଗଦାରେ ଠିଆ ହୋଇଛି ଓଡିଶା । ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ ୫ ହଜାର କୋଟିର ଦୁର୍ନୀତି ହେଉଛି । ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାର ଆତ୍ମା କାନ୍ଦୁଛି।ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ପାଳନ ନାଁରେ ଡ୍ରାମା କରୁଛନ୍ତି। ଏପ୍ରିଲ ୨୪ ତାରିଖରେ ସମଗ୍ର ଦେଶ ପଞ୍ଚାୟତିରାଜ ଦିବସ ପାଳନ କରୁଛି କିନ୍ତୁ ଓଡ଼ିଶା ଏକମାତ୍ର ରାଜ୍ୟ ଯିଏ କି ମାର୍ଚ୍ଚ ୫ରେ ଏହାକୁ ପାଳନ କରୁଛି।ଭ୍ରଷ୍ଟାଚାରର କେନ୍ଦ୍ରବିନ୍ଦୁ ଆଜି ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥା ହୋଇଛି। ପଞ୍ଚାୟତିରାଜ ବ୍ୟବସ୍ଥା ରାଜନୈତିକ ଚକ୍ରବିହ୍ୱରେ ଛନ୍ଦି ହୋଇ ଯାଇଛି । ପଞ୍ଚାୟତରେ କଣ ହେବ ତାହା ଶାସକ ଦଳର ବିଧାୟକ ମାନେ ନିଷ୍ପତ୍ତି ନେଉଛନ୍ତି । ପଞ୍ଚାୟତିରାଜ ବ୍ୟବସ୍ଥା ଭ୍ରଷ୍ଟାଚାରରେ ବୁଡି ଯାଇଛି ।ଏହାକୁ ବିରୋଧ କରି ଆସନ୍ତାକାଲି ପଞ୍ଚାୟତିରାଜ ଦିବସକୁ ବିଜେପି ୩୧୪ ବ୍ଲକ ଆଗରେ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିବ। ହାତରେ କଳା ପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିବ ବିଜେପି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ | ସେପଟେ ପ୍ରେସମିଟ ଜରିଆରେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ ପଚାରି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି | ପ୍ରଥମତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି କରୁଛି କିଏ? ଦ୍ଵିତୀୟରେ ମନରେଗାରେ ଫଲ୍ସ ବିଲ୍ ପାସ କରାଇ କାହିଁକି ଦୁର୍ନୀତି ହେଉଛି। ତୃତୀୟରେ ପଞ୍ଚାୟତକୁ ଆସୁଥିବା କେନ୍ଦ୍ରର ସିଏଫସି ଟଙ୍କା କୁଆଡେ ଯାଉଛି? ସେହିପରି ଚତୁର୍ଥରେ ରାସନ କାର୍ଡରେ ୨୦ ପ୍ରତିଶତ ଅଯୋଗ୍ୟ କିଭଳି ସାମିଲ ହେଲେ। ପଞ୍ଚମରେ ଏହା ସହିତ ପଞ୍ଚାୟତିରାଜ ବ୍ୟବସ୍ଥାରେ ବ୍ୟାପକ ପିସି କାରବାର ହେଉଛି। ପଲ୍ଲୀସଭାକୁ କାହିଁକି ବନ୍ଦ କରିଦିଆଯାଇଛି। ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରି ଆସନ୍ତାକାଲି ପଞ୍ଚାୟତିରାଜ ଦିବସକୁ ବିଜେପି 314 ବ୍ଲକ ଆଗରେ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିବ ।