ଖବର ଓଡ଼ିଶା: ମଧ୍ୟପ୍ରଦେଶର ଗ୍ୱାଲିଅର ଗ୍ରାମୀଣର କଂଗ୍ରେସ ବିଧାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି । ସାହାଯ୍ୟ ମାଗିବାକୁ ଆସିଥିବା ମହିଳାଙ୍କୁ ବିଧାୟକ ସାହେବ ସିଂ ଗୁର୍ଜାର ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ମହିଳା । ଏ ନେଇ ମହିଳାମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ପାୱାର ଟ୍ରାନ୍ସଫର୍ମର ସମସ୍ୟାର ସମାଧାନ ପାଇଁ କିଛି ମହିଳାମାନେ ଗ୍ୱାଲିଅର ଗ୍ରାମୀଣ ବିଧାୟକ ସାହେବ ସିଂ ଗୁର୍ଜାରଙ୍କ ବାସଭବନକୁ ପହଞ୍ଚିଥିଲେ । ନିଜର ସମସ୍ୟା ସଂପର୍କରେ ବିଧାୟକଙ୍କୁ ଜଣାଇଥିଲେ । କିନ୍ତୁ ବିଧାୟକ ଗୁହାରୀ ଶୁଣିବା ବଦଳରେ ମହିଳାଙ୍କୁ ଅସଦ ବ୍ୟବହାର କରିଥିଲେ । ବିଧାୟକ ସେମାନଙ୍କ କେଶ ଟାଣି ମାଡ଼ ମାରିଥିବା ନେଇ ମହିଳାମାନେ ଅଭିଯୋଗ କରିଛନ୍ତି । ଏ ନେଇ ମହିଳାମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଥାନାରେ ଏଫଆଇଆର୍ ଦାଖଲ କରିଛନ୍ତି । ଗ୍ୱାଲିଅର ଏସପି ଧରମଭୀର ସିଂ ସୂଚନା ଦେଇଛନ୍ତି ଯେ ବିଧାୟକ ସାହେବ ସିଂଙ୍କ ବିରୋଧରେ ଆଇପିସି ଧାରା ୧୧୫ (୨) ଏବଂ ଧାରା ୨୯୬ ଅନୁଯାୟୀ ମାମଲା ରୁଜୁ ହୋଇଛି । ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ଏହି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ଅନୁସନ୍ଧାନ ପରେ ଯଦି ଅଭିଯୋଗ ସତ୍ୟ ବୋଲି ଜଣାପଡେ ତେବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।
ଅନ୍ୟପକ୍ଷରେ ବିଧାୟକ ସାହେବ ସିଂ ଗୁର୍ଜାର ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି । ତାଙ୍କ ବିରୋଧରେ ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି । ସେ ମହିଳାଙ୍କ କଥା ଶୁଣୁଥିଲେ ଏବଂ ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । କେବଳ ଏତିକି ନୁହେଁ, ବିଧାୟକ ଏହା ମଧ୍ୟ ଦାବି କରିଛନ୍ତି ଯେ କିଛି ଗ୍ରାମବାସୀ ତାଙ୍କ ବାସଭବନ ସମ୍ମୁଖକୁ ଆସି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ ଏବଂ ତାଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସହିତ ଦୁର୍ବ୍ୟବହାର କରିଥିବା ନେଇ ବିଧାୟକ ଦାବି କରିଛନ୍ତି ।