ପଶ୍ଚିମବଙ୍ଗ: ଅନଲାଇନ୍ ଫୁଡ ଡେଲିଭରି ଆପ୍ ଜରିଆରେ ଖାଦ୍ୟ ମଗାଇ ଠକାମୀର ଶିକାର ହୋଇଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ର। ଯାହାଫଳରେ ସ୍ଵିଗିଠାରୁ ଟଙ୍କା ଫେରସ୍ତ ମାଗିଛନ୍ତି ।
ବୁଧବାର ସେ ସ୍ଵିଗିରୁ ଏକ ଦାମୀ ଆଇସକ୍ରିମ ଅର୍ଡର କରିଥିଲେ। ଯାହାର ମୂଲ୍ୟ ଥିଲା ୧୨୨୦ ଟଙ୍କା। ଡେଲିଭରି ବଏ ଆଇସକ୍ରିମ ଆଣି ସାଂସଦଙ୍କୁ ଦେଇଥିଲେ। ସାଂସଦ ମହୁଆ ପ୍ୟାକେଟ ଖୋଲିବା ପରେ ସେଥିରୁ ଖରାପ ହୋଇଯାଇଥିବା ଆଇସକ୍ରିମ ବାହାରିଥିଲା। ଏହା ଦେଖି ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ସ୍ଵିଗିକୁ ଟଙ୍କା ଫେରସ୍ତ ମାଗିଥିଲେ।
ସାଂସଦ ମହୁଆ ମୋଇତ୍ର ଲେଖିଥିଲେ ଯେ, ସେ ଏକ ଦାମୀ ‘ମାଇନସ ଥାର୍ଟି ମିନି ଷ୍ଟିକ୍ସ’ ଆଇସକ୍ରିମ ଅର୍ଡର କରିଥିଲେ। ତାହା ପହଞ୍ଚିଲା ବେଳକୁ ନଷ୍ଟ ହୋଇଯାଇଥିଲା। ଖାଇବା ଯୋଗ୍ୟ ନ ଥିଲା। ତେଣୁ ତୁରନ୍ତ ଟଙ୍କା ଫେରସ୍ତ କରାଯିବ ବୋଲି ଆଶା କରୁଥିବା ସାଂସଦ ଲେଖିଛନ୍ତି।
ତେବେ ସାଂସଦଙ୍କ ପୋଷ୍ଟ ପରେ ସ୍ଵିଗି ପକ୍ଷରୁ ତୁରନ୍ତ ଉତ୍ତର ଦିଆଯାଇଥିଲା। ଖରାପ ଆଇସକ୍ରିମ ଦିଆଯାଇଥିବାରୁ ସ୍ଵିଗି ପକ୍ଷରୁ କ୍ଷମାପ୍ରାର୍ଥନା କରାଯିବା ସହିତ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି କୁହାଯାଇଥିଲା।