ଦିଲ୍ଲୀ: ଆଉ କେଇଟା ଦିନ ପରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏହାରି ମଧ୍ୟରେ ବିଭିନ୍ନ ଦଳର ଆରୋପ, ପ୍ରତ୍ୟାରୋପ, ପ୍ରତିଶ୍ରୁତି ପର୍ବ ଚାଲିଛି । ଏହି କ୍ରମରେ ପୁଣି ଭାରତୀୟ ଜନତା ପାର୍ଟୀ ତାର ପ୍ରାଥମିକ ପର୍ଯ୍ୟାୟ ସଂକଳ୍ପ ପତ୍ର ଜାରି କରିଛି । ପ୍ରାଥମିକ ସ୍ତରରେ ଦଳ ମହିଳା ଏବଂ ବରିଷ୍ଠ ନାଗରିକଙ୍କୁ ଗୁରୁତ୍ୱ ଦେଇଛି । ମହିଳାଙ୍କ ହାଣ୍ଡିଶାଳରୁ ନେଇ ପର୍ସ ପର୍ଯ୍ୟନ୍ତ ସବୁକୁ ଦୃଷ୍ଟିରେ ରଖି ଦଳ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ଦିଲ୍ଲୀରେ ମଧ୍ୟ ବିଜେପି ଓଡ଼ିଶାର ସୁଭଦ୍ରା ଯୋଜନା, ମହାରାଷ୍ଟ୍ର ଏବଂ ମଧ୍ୟ ପ୍ରଦେଶରର ଲାଡଲୀ ବେହେନା ଭଳି ସୂତ୍ର ପ୍ରୟୋଗ କରିଛି । ଦିଲ୍ଲୀରେ ବିଜେପି ସରକାର ଆସିବା ପରେ ମହିଳାଙ୍କୁ ମାସିକ ୨,୫୦୦ ଟଙ୍କା ପ୍ରଦାନ କରାଯିବ । ସରକାର ଆସିବାର ପ୍ରଥମ କ୍ୟାବିନେଟରେ ଏହି ଯୋଜନାକୁ ପାରିତ କରାଯିବ । ସେହିପରି ଗର୍ଭବତୀ ମହିଳାଙ୍କୁ ଏକକାଳୀନ ୨୧,୦୦୦ ଟଙ୍କା ପ୍ରଦାନ କରାଯିବ । ସଂକଳ୍ପ ପତ୍ରରେ ରୋଷେଇ ଘରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ରନ୍ଧନ ଗ୍ୟାସ ସିଲିଣ୍ଡର୍ ଉପରେ ୫୦୦ ଟଙ୍କାର ସବସିଡି ପ୍ରଦାନ କରାଯିବ । ଏହା ସହିତ ହୋଲି ଓ ଦୀପାବଳିରେ ମାଗଣା ଗ୍ୟାସ୍ ଦିଆଯିବ ।
ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ମାସିକ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିବା ବିଜେପି । ଦଳ କହିଛି, ବରିଷ୍ଠ ନାଗରିକଙ୍କ ଜୀବନକୁ ସରଳ ଏବଂ ସଫଳ କରିବା ପାଇଁ, ବିଜେପି ସରକାର ୬୦ ରୁ ୭୦ ବର୍ଷ ବୟସର ଲୋକଙ୍କ ପାଇଁ ବରିଷ୍ଠ ନାଗରିକ ଭତ୍ତାକୁ ୨,୦୦୦ ଟଙ୍କାରୁ ୨,୫୦୦ ଟଙ୍କାକୁ ବୃଦ୍ଧି କରିବେ । ଏହା ବ୍ୟତୀତ ୭୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ, ବିଧବା ଏବଂ ଅସହାୟ ମହିଳାଙ୍କୁ ୨୫୦୦ ଟଙ୍କା ପରିବର୍ତ୍ତେ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ ।
ସଂକଳ୍ପ ପତ୍ର ଘୋଷଣା ସମୟରେ ନଡ୍ଡା ଆମ୍ ଆଦମୀ ପାର୍ଟୀ ଉପରେ ବର୍ଷିଛନ୍ତି । ରାଜନୈତିକ ଦଳ ଗୁଡ଼ିକ ପ୍ରତିଶ୍ରୁତି ଦେଇ ଭୁଲି ଯାଉଛନ୍ତି । କିନ୍ତୁ ଆମେ ତାହାକୁ କାର୍ଯ୍ୟରେ କରି ଦେଖାଉଛୁ । ୨୦୧୪ରେ ୫୦୦ ପ୍ରତିଶ୍ରୁତି ବିଜେପି ଦେଇଥିବାବେଳେ ୪୯୯ ପ୍ରତିଶ୍ରୁତିକୁ ପୂରଣ କରୁଛୁ । ସଂକଳ୍ପକୁ କାର୍ଯ୍ୟକାରୀ କରିବାରେ ଆମ ଦଳର ରେକର୍ଡ ୯୯.୯ ପ୍ରତିଶତ ରହିଛି । ସେହିପରି ନଡ୍ଡା କହିଛନ୍ତି ଯେ ଦିଲ୍ଲୀରେ ଚାଲୁଥିବା ସମସ୍ତ ଯୋଜନାକୁ ବିଜେପି ସରକାରକୁ ଆସିଲେ ଜାରି ରଖିବ ।
ନଡ୍ଡା କହିଛନ୍ତି ହରିୟାଣା ଏବଂ ରାଜସ୍ଥାନରେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ପୂରଣ କରିଛୁ । ୨୦୧୫ରେ ଆପ୍ ଦଳ ଘୋଷଣା କରିଥିଲା ୧୦୦ଟି ସ୍ଥାନରେ ଆମ୍ ଆଦମୀ କ୍ୟାଣ୍ଟିନ୍ ଆରମ୍ଭ କରିବେ, ଯାହାକୁ ଏବେବି ଲୋକ ଅପେକ୍ଷା କରି ରହିଛନ୍ତି । ୨୦୨୪ରେ କହିଥିଲେ ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଦେବେ । କିନ୍ତୁ ଦିଲ୍ଲୀ କି ପଞ୍ଜାବରେ କେଉଁଠି ବି ଦେଲା ନାହିଁ ଆପଦା/ବିପଦ ସରକାର (ଆପ୍ ସରକାର) ।
ସେହିପରି ନଡ୍ଡା କହିଛନ୍ତି ପ୍ରଥମ କ୍ୟାବିନେଟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ଏବଂ ଦିଲ୍ଲୀ ସରକାର ସ୍ୱାସ୍ଥ୍ୟ ବୀମା ଲାଗୁ କରାଯିବ । ମୋଟରେ ୧୦ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ରାଶି ମିଳିବ ।
ସେ କହିଛନ୍ତି ସଂକଳ୍ପ ପତ୍ରର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଆଗାମୀ ଦିନରେ ଜାରି କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ ।